ଭିତ୍ତିହୀନ-ମିଛ ଅଭିଯୋଗ କରିବା ବନ୍ଦ କର...ହରିୟାଣା ନିର୍ବାଚନ ଉପରେ କଂଗ୍ରେସକୁ ECଙ୍କ ୧୬୦୦ ପୃଷ୍ଠାର ଜବାବ

Published By : Prameya-News7 Bureau | October 29, 2024 IST

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ଅନିୟମିତତା ନେଇ କଂଗ୍ରେସର ସବୁ ଅଭିଯୋଗକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି । ନିର୍ବାଚନ ଆୟୋଗ ସମସ୍ତ ଅଭିଯୋଗକୁ ଭିତ୍ତିହୀନ, ଭୁଲ ଏବଂ ତଥ୍ୟହୀନ ବୋଲି ଦର୍ଶାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପ୍ରତିଥର ଏଭଳି ଭିତ୍ତିହୀନ ଅଭିଯୋଗ କରିବାଠାରୁ ବିରତ ରହିବା ପାଇଁ ନିର୍ବାଚନ ଆୟୋଗ ଚେତାଇଛନ୍ତି । ସାମାନ୍ୟ ସନ୍ଦେହ ସୃଷ୍ଟି କରିବା ପାଇଁ ନିର୍ବାଚନ ଆୟୋଗ କଂଗ୍ରେସକୁ ସମାଲୋଚନା କରିଛନ୍ତି । କଂଗ୍ରେସର ଅଭିଯୋଗ ଉପରେ ଭାରତୀୟ ନିର୍ବାଚନ କମିଶନ ୧୬୦୦ ପୃଷ୍ଠାର ଚିଠିରେ ଜବାବ ଦେଇଛନ୍ତି ।

ମତଦାନ ଏବଂ ମତଗଣନା ପରି ସମ୍ୱେଦନଶୀଳ ସମୟରେ ଦାୟିତ୍ୱହୀନ ଅଭିଯୋଗ କରିବାଠୁ ଦୂରରେ ରହିବା ପାଇଁ କଂଗ୍ରେସକୁ ନିର୍ବାଚନ ଆୟୋଗ ଅପିଲ୍ କରିଛନ୍ତି । ଆୟୋଗ ଚିଠିରେ କହିଛନ୍ତି ଯେ ଦାୟିତ୍ୱହୀନ ଅଭିଯୋଗରେ ଜନତାଙ୍କ ମଧ୍ୟରେ ଆଶାନ୍ତି ଏବଂ ଅରାଜକତା ବ୍ୟାପିପାରେ । ନିର୍ବାଚନ ଆୟୋଗ ଏଥିପାଇଁ ଗତ ଏକ ବର୍ଷରେ ୫ ବିଶିଷ୍ଟ ମାମଲାକୁ ଉଲ୍ଲେଖ କରିଛନ୍ତି ।

ପ୍ରତି ନିର୍ବାଚନ ପରେ ଭିତ୍ତିହୀନ ଅଭିଯୋଗ ଏବଂ ଅପ୍ରତ୍ୟାଶିତ ରେଜଲ୍ଟରେ ପାର୍ଟି ଦ୍ୱାରା କରାଯାଉଥିବା ଟିପ୍ପଣୀ ଉପରେ ନିର୍ବାଚନ ଆୟୋଗ କଡ଼ା ଅଭିମୁଖ୍ୟ ଦେଖାଇଛନ୍ତି । ଏହିପରି ଅଭିଯୋଗ ଏବଂ ଟିପ୍ପଣୀ ଉପରେ ଅଙ୍କୁଶ ଲଗାଇବା ପାଇଁ କଂଗ୍ରେସକୁ କହିଛନ୍ତି ।

ନିର୍ବାଚନ କମିଶନ କହିଛନ୍ତି ଯେ ହରିୟାଣାରେ ନିର୍ବାଚନରେ ପ୍ରତ୍ୟେକ ପର୍ଯ୍ୟାୟ ତ୍ରୁଟିହୀନ ଥିଲା ଏବଂ କଂଗ୍ରେସ ପ୍ରାର୍ଥୀ ଏବଂ ଏଜେଣ୍ଟଙ୍କ ନୀରିକ୍ଷଣରେ କରାଯାଇଥିଲା । ୨୬ ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଧିକାରୀ ବାରମ୍ୱାର ଯାଞ୍ଚ କରିଛନ୍ତି । ପୂର୍ବରୁ ହରିୟାଣା ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି । 

ହରିୟାଣା ନିର୍ବାଚନରେ କଂଗ୍ରେସ ଇଭିଏମ ଉପରେ ପ୍ରଶ୍ନ ଉଠାଇଥିଲା । କଂଗ୍ରେସ ଅଭିଯୋଗ କରିଥିଲା ଯେ ୯୯% ବ୍ୟାଟେରି ଥିବା ଇଭିଏମରେ ବିଜେପି ଜିତିଛି । ଏବଂ ୬୦-୭୦% ବ୍ୟାଟେରି ଥିବା ଇଭିଏମ୍ କଂଗ୍ରେସ ଜିତିଛି । ମେସିନରେ ତ୍ରୁଟି ଏବଂ ଅଧିକାରୀମାନେ ଜାଣିଶୁଣି ମତଗଣନା ପ୍ରକ୍ରିୟାରେ ବିଳମ୍ୱ କରିଥିବା କଂଗ୍ରେସ ଅଭିଯୋଗ କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ ହରିୟାଣା ବିଧାନସଭାରେ ବିଜେପି ୯୦ରୁ ୪୮ ଆସନରେ ପ୍ରଚଣ୍ଡ ବହୁମତ ହାସଲ କରିଥିଲା । ଅନ୍ୟପଟେ ଶାସନ ବିରୋଧୀ ଲହରର ଲାଭ ଉଠାଇବାରେ ବିଫଳ ହୋଇଥିବା କଂଗ୍ରେସ କେବଳ ୩୭ ଆସନ ଜିତିବାରେ ସଫଳ ହେଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.