ଚୀନକୁ ଛାଡ଼ି ଭାରତ ଆଡ଼କୁ ମୁହାଁଉଛି ଆମେରିକାର ପ୍ରତିଷ୍ଠିତ ରିଟେଲ କମ୍ପାନୀ ୱାଲ୍‌ମାର୍ଟ

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ ରିଟେଲ କମ୍ପାନୀ ୱାଲମାର୍ଟ ଏବେ ଚୀନକୁ ଛାଡ଼ି ଭାରତ ଆଡ଼େ ମୁହାଁଇଛି। ବର୍ତ୍ତମାନ କମ୍ପାନୀ ଚୀନ ଅପେକ୍ଷା ଭାରତରୁ ଅଧିକ ସାମଗ୍ରୀ ଆମଦାନୀ କରୁଛି। ୱାଲମାର୍ଟ ସାମଗ୍ରୀ ଆମଦାନୀ ପାଇଁ ଚୀନ୍ ଉପରେ ନିର୍ଭରଶୀଳତାକୁ କ୍ରମାଗତ ଭାବରେ ହ୍ରାସ କରୁଛି। ଏହାର ଯୋଗାଣ ଶୃଙ୍ଖଳାର ଉନ୍ନତି ତଥା ଖର୍ଚ୍ଚ ହ୍ରାସ କରିବା ପାଇଁ କମ୍ପାନୀ ଭାରତରୁ ଆମଦାନୀ ବୃଦ୍ଧି କରୁଛି ବୋଲି ରୟଟର୍ସ ରିପୋର୍ଟ ପ୍ରକାଶ କରିଛି।

ୱାଲମାର୍ଟ ବିଶ୍ୱର ସବୁଠୁ ବଡ଼ ରିଟେଲ କମ୍ପାନୀ ମଧ୍ୟରୁ ଅନ୍ୟତମ। ରଏଟର୍ସ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ କମ୍ପାନୀ ଆମେରିକା ପାଇଁ କରିଥିବା ମୋଟ ଆମଦାନୀରେ ଭାରତରେ ଠାରୁ ଏକ ଚତୁର୍ଥାଂଶ ଆମଦାନୀ କରିଛି। ଯେତେବେଳେ କି ୨୦୧୮ରେ ଏହା କେବଳ ମାତ୍ର ୨ ପ୍ରତିଶତ ଥିଲା। ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଚାଇନାରୁ ଆମଦାନୀ ୬୦ ପ୍ରତିଶତକୁ ଖସି ଆସିଛି, ଯାହା ୨୦୧୮ ରେ ୮୦ ପ୍ରତିଶତ ଥିଲା।

ୱାଲମାର୍ଟ ଭାରତରୁ ଆମଦାନୀ ବୃଦ୍ଧି କରିଛି ସତ। ଏହା ସତ୍ତ୍ୱେ ବି ୱାଲମାର୍ଟ ବର୍ତ୍ତମାନ ଚାଇନାରୁ ସର୍ବାଧିକ ସାମଗ୍ରୀ ଆମଦାନୀ କରିଥାଏ। ହେଲେ ଚାଇନାରୁ ଆମଦାନୀ ଖର୍ଚ୍ଚ ବୃଦ୍ଧି ଓ ଆମେରିକା ଏବଂ ଚୀନ୍ ମଧ୍ୟରେ ରାଜନୈତିକ ତିକ୍ତତା ବୃଦ୍ଧି ହେତୁ ୱାଲମାର୍ଟ ଭଳି କମ୍ପାନୀ ଭାରତ, ଥାଇଲ୍ୟାଣ୍ଡ ଏବଂ ଭିଏତନାମରୁ ଅଧିକ ସାମଗ୍ରୀ ଆମଦାନୀ କରୁଛନ୍ତି।

ପଢ଼ନ୍ତୁ-ଆସନ୍ତା ବର୍ଷରୁ କାର୍‌ କିଣିବା ହେବ ମହଙ୍ଗା, ଦାମ୍‌ ବଢ଼ାଇବାକୁ ପ୍ରସ୍ତୁତ କମ୍ପାନି

ଏନେଇ ୱାଲମାର୍ଟ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଆଣ୍ଡ୍ରେଆ ଅଲବ୍ରାଇଟ୍ କହିଛନ୍ତି ଯେ ଆମେ ସାମଗ୍ରୀର ସୁଲଭ ମୂଲ୍ୟ ଖୋଜୁ। ତେବେ  ସାମଗ୍ରୀ ଆମଦାନୀ ପାଇଁ ଆମେ କେବଳ ଗୋଟିଏ ଯୋଗାଣକାରୀ କିମ୍ବା ଗୋଟିଏ ଅଞ୍ଚଳ ଉପରେ ନିର୍ଭର କରିପାରିବୁ ନାହିଁ। ଉତ୍ପାଦନ କ୍ଷମତା ସୃଷ୍ଟି ପାଇଁ ୱାଲମାର୍ଟ ପାଇଁ ଭାରତ ଏକ ପ୍ରମୁଖ ଉପାଦାନ ଭାବରେ ଉଭା ହୋଇଛି ବୋଲି ଅଲବ୍ରାଇଟ୍ କହିଛନ୍ତି।

ସୂଚନା ଥାଉକି, ୱାଲମାର୍ଟ ଖେଳନା, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଠାରୁ ସାଇକେଲ ଏବଂ ଔଷଧ ପର୍ଯ୍ୟନ୍ତ ସବୁକିଛି ଆମଦାନୀ କରିଥାଏ। ଏହା ବ୍ୟତୀତ ୱାଲମାର୍ଟ ଶୁଖିଲା ଶସ୍ୟ ଏବଂ ପାସ୍ତା ମଧ୍ୟ ଆମଦାନୀ କରେ। ଆମ ଦେଶର ଅଗ୍ରଣୀ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ୱାଲମାର୍ଟର ୭୭ ପ୍ରତିଶତ ଅଂଶଧନ ରହିଛି। କମ୍ପାନୀ ଏହା ମଧ୍ୟ କହିଛି ଯେ ୨୦୨୭ ସୁଦ୍ଧା ଏହା ପ୍ରତିବର୍ଷ ଭାରତରୁ ୧୦ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିବ। ବର୍ତ୍ତମାନ ୱାଲମାର୍ଟ ୩ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.