ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି, ରାଜସ୍ଥାନ ଚୁରୁରେ ପାରଦ ପହଞ୍ଚିଲା ୫୧ ଡିଗ୍ରିରେ, ଜନଜୀବନ ଅସ୍ତବ୍ୟସ୍ତ

Published By : Prameya-News7 Bureau | June 01, 2019 IST

ନୂଆଦିଲ୍ଲୀ ୧।୬:  ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଜାରି ଥିବା ବେଳେ ଆଜି ରାଜସ୍ଥାନ ଚୁରୁରେ ତାପମାତ୍ରା ପହଞ୍ଚିଛି ୫୧ଡିଗ୍ରି ସେଲସିୟସରେ। ତେବେ ସନ୍ଧ୍ୟାରେ ସାମାନ୍ୟ ବର୍ଷା ଯୋଗୁ ଲୋକଙ୍କୁ ତାତିରୁ ଆଶ୍ବସ୍ତି ମିଳିଛି। ଲଗାତାର ତାପମାତ୍ରା ବୃଦ୍ଧି ଯୋଗୁ ପାଣିପାଗ ବିଭାଗ ଏନସିଆର ସମେତ ଦିଲ୍ଲୀରେ ରେଡ ଆଲର୍ଟ ଜାରି କରିଛନ୍ତି। ଆଜି ରାଜଧାନୀ ଦିଲ୍ଲୀରେ ଦିନର ତାପମାତ୍ରା ୪୬ଡିଗ୍ରିରେ ପହଞ୍ଚିଥିବା ବେଳେ ଜୁନ ୩ ତାରିଖ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛନ୍ତି।

{"id":118537,"width":579,"height":340}

ପଞ୍ଜାବ, ହରିୟାଣା ଓ ୟୁପିରେ ତାପମାତ୍ରା ୪୪ରୁ ୪୫ ଡିଗ୍ରିରେ ପହଞ୍ଚିଛି । ସେପଟେ ଚଣ୍ଡିଗଡ ତାପମାତ୍ରା ୪୪ ଡିଗ୍ରିରେ ପହଞ୍ଚିଥିବା ବେଳେ ହରିୟାଣା ନାରନୋଲରେ ଆଜି ତାପମାତ୍ରା ସର୍ବାଧିକ ୪୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ପଶ୍ଟିମ ଭାରତର ରାଜସ୍ଥାନ ଶ୍ରୀଗଙ୍ଗାନଗର ୪୯.୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ୧୯୪୪ ମସିହା ପରେ ଏଠାରେ ଦ୍ବିତୀୟବାର ଏଭଳି ଗରମ ପଡିଥିବା କହିଛନ୍ତି ପାଣିପାଗ ବିଭାଗ।

{"id":118538}

ସେହିପରି ଦକ୍ଷିଣ ଭାରତରେ ଭୀଷଣ ଗ୍ରୀଷ୍ମ ଅନୁଭୂତ ହେଉଥିବା ବେଳେ ତେଲେଙ୍ଗାନାରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ଆଜି ୧୭ରେ ପହଞ୍ଚିଛି । ଗତ ୨୨ ଦିନ ହେଲା ଜାରୀ ତାପପ୍ରବାହ ଯୋଗୁ ରାଜ୍ୟରେ ଏବେ ହାହାକାର ପଡିଛି।   ପଡୋଶୀ ଓଡିଶାର ଉପକୂଳ ଜିଲ୍ଲାମାନଙ୍କରେ ବଢିବଢି ଚାଲିଥିବା ତାପମାତ୍ରା ୩୧ ମେ ସନ୍ଧ୍ୟାପରେ ସାମାନ୍ୟ ନିୟନ୍ତ୍ରିତ ହୋଇଛି। ତେବେ ଆଭ୍ୟନ୍ତରିଣ ଓ ପଶ୍ଚିମ ଓଡିଶା ଏବେ ମଧ୍ୟ ଜଳୁଛି । ଭିଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ସାରା ଦେଶରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ ଦିନବେଳା ପଦାକୁ ବାହାରିବା ବନ୍ଦ କରିଦେଇଥିବା ବେଳେ ରାସ୍ତାଘାଟ ଶୁନଶାନ ହୋଇଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.