ବିଶ୍ୱର ସର୍ବୋଚ୍ଚ ପୋଲିଂ ବୁଥରେ ୧୦୦% ମତଦାନ, ସେନା ହେଲିକପ୍ଟରରେ ଯାଇଥିଲେ ପୋଲିଂ ପାର୍ଟି

Published By : Prameya-News7 Bureau | November 12, 2022 IST

ଲାହୋଲ ସ୍ପିତି ୧୨।୧୧: ହିମାଚଳ ପ୍ରଦେଶର ମୋଟ ୬୮ଟି ଆସନ ନିମନ୍ତେ ଶନିବାର ଭୋଟଗ୍ରହଣ ଶେଷ ହୋଇଛି। ଲାହୋଲ ସ୍ପିତି ଜିଲ୍ଲାର ସବୁଠୁ ଉଚ୍ଚ ଭୋଟଗ୍ରହଣ କେନ୍ଦ୍ର ଟାସିଗଙ୍ଗରେ ସମସ୍ତ ୫୨ ଜଣ ଜାକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଅର୍ଥାତ ଏଠାରେ ଶତ ପ୍ରତିଶତ ମତଦାନ ହୋଇଛି। ଯାହା ଇତିହାସ ସୃଷ୍ଟି କରିଛି। ନିର୍ବାଚନ କମିସନ ସମୁଦ୍ର ପତନରୁ ୧୫ ହଜାର ୨୫୬ ଫୁଟ ଉଚ୍ଚତାରେ ଭୋଟଗ୍ରହଣ କେନ୍ଦ୍ର ସ୍ଥାପନା କରିଥିଲେ। ଏହି ବୁଥରେ ଟାସିଗଙ୍ଗ ଓ କାଜା ଗାଁର ଲୋକେ ଭୋଟ ଦେଇଛନ୍ତି।

ଏହି ପୋଲିଂ ବୁଥକୁ ସେନା ହେଲିକପ୍ଟର ଯୋଗେ ପୋଲିଂ ଟିମକୁ ପଠାଯାଇଥିଲା। ଏବେ ପୋଲିଂ ଟିମ୍‌ ଇଭିଏମ ନେଇ ହେଲିକପ୍ଟରରେ ଫେରିବେ। ଟାସିଗଙ୍ଗରେ ଶତ ପ୍ରତିଶତ ମତଦାନକୁ ନେଇ ଉପ ଜିଲ୍ଲା ନିର୍ବାଚନ ଅଧିକାରୀ ଅଭିଷେକ ବର୍ମା ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ସେଠାରେ ଏବେ ଭୀଷଣ ଥଣ୍ଡା ପଡିଛି। ଥଣ୍ଡାସତ୍ତ୍ୱେ ଲୋକେ ଘରୁ ବାହାରକୁ ଆସି ମତଦାନ କେନ୍ଦ୍ରରେ ଧାଡି ବାନ୍ଧି ଭୋଟ ଦେଇଛନ୍ତି।

{"id":708441,"sizeSlug":"full","linkDestination":"none"}

ଟାସିଗଙ୍ଗରେ ଭୋଟଦାନକୁ ନେଇ ଗ୍ରାମୀଣଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା। ଲୋକେ ପାରମ୍ପରିକ ପରିଧାନରେ ମତାଧିକାର ସାବ୍ୟସ୍ତ କରିବାକୁ ମତଦାନ କେନ୍ଦ୍ରକୁ ପହଞ୍ଚିଥିଲେ। ନିର୍ବାଚନ ଆୟୋଗ ଏଠାରେ ୨ ଦିନ ପୂର୍ବରୁ ଭୋଟ ଗ୍ରହଣ ପ୍ରସ୍ତୁତି ଶେଷ କରିଥିଲେ। ଶନିବାର ମଧ୍ୟାହ୍ନ ପରେ ଏଠାରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଲାହୋଲ ସ୍ପିତିର ବିଭିନ୍ନ ମତଦାନ କେନ୍ଦ୍ରରେ ନିର୍ବାଚନ ଆୟୋଗଙ୍କ ଟିମ୍‌କୁ ଭୀଷଣ ଥଣ୍ଡାର ସମ୍ମୁଖୀନ ହେବାକୁ ପଡିଥିଲା। କାରଣ ଏଠାରେ ୨ ଦିନ ପୂର୍ବେ ହୀମପାତ ହେବା ଯୋଗୁ ତାପମାତ୍ରା ବିଯୁକ୍ତ ହୋଇଯାଇଥିଲା।

ହିମାଚଳ ପ୍ରଦେଶରେ ସମସ୍ତ ୬୮ଟି ଆସନ ଲାଗି ପୂର୍ବାହ୍ନ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଅପରାହ୍ନ୫ଟାରେ ମତଦାନ ଶେଷ ହୋଇଥିଲା। ଏଠାରେ ଗତ ୨୦୧୭ ବିଧାନସଭା ନିର୍ବାଚନରେ ୭୫.୫୭ ପ୍ରତିଶତ ଭୋଟ ହୋଇଥିଲା। ନିର୍ବାଚନରେ କ୍ଷମତାସୀନ ବିଜେପିର ବାଜି ଲାଗିଛି। ଦଳ ରାଜ୍ୟରେ ବିକାଶ ଏଜଣ୍ଡାକୁ ନେଇ ପୁଣି କ୍ଷମତାକୁ ଫେରିବ ବୋଲି ଆଶା ବାନ୍ଧିଛି। ସେହିପରି ବିରୋଧୀ କଂଗ୍ରେସ ମଧ୍ୟ ନିର୍ବାଚନରେ ବିଜୟୀ ହୋଇ ପୁଣି ସରକାରକୁ ଫେରିବ ବୋଲି ଆଶା କରିଛି। ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ, ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂହ, ପୂର୍ବତନ ବିଜେପି ସଭାପତି ସତପାଲ ସିଂହ ସତ୍ତିଙ୍କ ସମେତ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.