କୋଭିଡ୍ ମହାମାରୀ ପରେ ପାଠପଢା ପାଇଁ ବିଦେଶ ଯାଇଛନ୍ତି ରେକର୍ଡ ସଂଖ୍ୟକ ଛାତ୍ର: କେନ୍ଦ୍ର ସରକାର
10/02/2023 at 10:15 PM

ନୂଆଦିଲ୍ଲୀ: ମହାମାରୀ କରୋନାର ପ୍ରକୋପ କମିବା ପରେ ପୁଣି ଥରେ ଉଚ୍ଚ ଶିକ୍ଷା ପାଇଁ ବିଦେଶମୁହାଁ ଭାରତୀୟ ଛାତ୍ର। କେବଳ ସେତିକି ନୁହେଁ କରୋନା ପରେ ରେକର୍ଡ ସଂଖ୍ୟକ ଛାତ୍ର ବିଦେଶ ଯାଇଥିବା ଶୁକ୍ରବାର ସଂସଦରେ ଏହାର ସୂଚନା ଦେଇଛନ୍ତି କେନ୍ଦ୍ର ସରକାର।
ସଂସଦରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ରଖାଯାଇଥିବା ତଥ୍ୟ ଅନୁଯାୟୀ, କରୋନା ପୂର୍ବରୁ ୨୦୧୭ରେ ୪.୫୪ ଲକ୍ଷ ଛାତ୍ର ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଇଥିଲେ। ଆଉ କରୋନା ପରେ ଅର୍ଥାତ ୨୦୨୨ରେ ଏମିତି ଛାତ୍ରଙ୍କ ସଂଖ୍ୟା ୭.୫୦ ଲକ୍ଷରେ ପହଞ୍ଚିଛି। ଏହିପରି ବିଭିନ୍ନ ପାଠ୍ୟକ୍ରମ ପାଇଁ ମୋଟ୍ ୧୦ ଲକ୍ଷ ୨୦ ହଜାର ଛାତ୍ର ବିଦେଶ ଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। କରୋନ ମହାମାରୀ ମହାମାରୀ ସମୟରେ ଅର୍ଥାତ ୨୦୨୦ରେ ଏହି ଛାତ୍ରଙ୍କ ସଂଖ୍ୟା ୨ ଲକ୍ଷ ୫୯ ହଜାର ୬୫୫ ରହିଥିଲା।
ତେବେ ଡାକ୍ତରୀ ପାଠପଢା ପାଇଁ କେତେ ଛାତ୍ର ବିଦେଶ ଯାଇଛନ୍ତି ତାର ସଠିକ୍ ତଥ୍ୟ ସରକାରଙ୍କ ପାଖରେ ନଥିବା ଜଣା ପଡିଛି। ଏପରିକି ୟୁକ୍ରେନ ଯୁଦ୍ଧ ପୂର୍ବରୁ ସେଠାକାର ପଢୁଥିବା ଛାତ୍ରଙ୍କ ଭବିଷ୍ୟତକୁ ନେଇ ସରକାର ଚିନ୍ତା ପ୍ରକାଶ କରିଛନ୍ତି। ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(ଏନଏମସି) ସାର୍ବଜନୀନ ନୋଟିସ୍ ଜାରି କରି ୟୁକ୍ରେନ ଦ୍ଵାରା ଉପସ୍ଥାପିତ ଶିକ୍ଷା ନୀତି ଉପରେ କୌଣସି ଆପତ୍ତି ନଥିବା କହିଛି।
ଏଏମପି ସାର୍ବଜନୀନ ନୋଟିସ୍ ଅନୁଯାୟୀ, ୟୁକ୍ରେନରେ ପଢୁଥିବା ଡାକ୍ତରୀ ଛାତ୍ର ନିଜର ପାଠ୍ୟକ୍ରମ ପୂରା କରିବା ପାଇଁ ଅନ୍ୟ ଦେଶର ବିଶ୍ବ ବିଦ୍ୟାଳୟ ଚୟନ କରି ପାରିବେ। ସରକାରୀ ତଥ୍ୟ ଅନୁଯାୟୀ, ପାଖାପାଖି ୧୭୦ ଛାତ୍ର ବର୍ତ୍ତମାନ ଏହି ବିକଳ୍ପ ଚୟନ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ , ମୋଟ୍ ୩୯୬୪ ଭାରତୀୟ ମେଡିକାଲ୍ ଛାତ୍ରଙ୍କୁ ଏହି ସ୍ଥାନାନ୍ତର ପ୍ରକ୍ରିୟା ଆଧାରରେ ବିଶ୍ଵ ବିଦ୍ୟାଳୟମାନଙ୍କରେ ପ୍ରବେଶ ମିଳିଛି।