୨୦୨୩ରେ ମାନ୍ଦାବସ୍ଥା ଭୟ; ଆଇଏମଏଫ୍ ମୁଖ୍ୟଙ୍କ ଚେତାବନୀ, କହିଲେ ବିଶ୍ବର ଏକ ତୃତୀୟାଂଶ ହେବ ପ୍ରଭାବିତ

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଳୀ, ୦୧/୦୧: ବିଶ୍ବ ଅର୍ଥବ୍ୟବସ୍ଥାକୁ ନେଇ ଚେତାବନୀ ଦେଇଛି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍)। ଆଇଏମଏଫ୍ ମୁଖ୍ୟ କ୍ରିଷ୍ଟଲୀନା ଜାର୍ଜିଭର ୨୦୨୩ରେ ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ନେଇ ଚେତାବନୀ ଦେଇଛନ୍ତି। ଚଳିତ ବର୍ଷ ବୈଶ୍ବିକ ଅର୍ଥବ୍ୟବସ୍ଥା ଏକ ତୃତୀୟାଂଶ ମାନ୍ଦାବସ୍ଥା ଦେଇ ଗତି କରିବ। ଆମେରିକା, ୟୁରୋପୀୟ ସଂଘ ଏବଂ ଚୀନ୍‌ରେ ମାନ୍ଦାବସ୍ଥା ରହିବା ସହ ଚଳତ ବର୍ଷ ୨୦୨୨ ତୁଳନାରେ ଅଧିକ କଠିନ ରହିବ ବୋଲି ଚେତାବନୀ ଦେଇଛନ୍ତି କ୍ରିଷ୍ଟଲୀନା।

ରବିବାର ଏକ ସାକ୍ଷାତକାରରେ ଏଭଳି ଚେତାବନୀ ଦେଇଛନ୍ତି କ୍ରିଷ୍ଟଲୀନା। ସୂଚନାଯୋଗ୍ୟ, ୧୦ ମାସ ବିତିଥିଲେ ବି ଋଷ-ୟୁକ୍ରେନ ଯୁଦ୍ଧ ଶେଷ ହେଉନାହିଁ, ମୁଦ୍ରାସ୍ଫୀତି ବଢ଼ୁଛି, ଉଚ୍ଚ ସୁଧ ହାର ଏବଂ ଚୀନରେ କରୋନା ଭାଇରସ ସଂକ୍ରମଣ ବଢ଼ିଥିବାବେଳେ କ୍ରିଷ୍ଟଲୀନାଙ୍କ ଚେତାବନୀକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥିତି ଏଭଳି ହୋଇପାରେ ଯେଉଁଠାରେ ମାନ୍ଦାବସ୍ଥା ନାହିଁ ସେଠାରେ ମଧ୍ୟ କୋଟି କୋଟି ଲୋକଙ୍କ ପାଇଁ ମାନ୍ଦାବସ୍ଥା ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ।

ଏହାପୂର୍ବରୁ ଆଇଏମଏଫ୍ ଗତବର୍ଷ ଅକ୍ଟୋବରରେ ୨୦୨୩ ଆର୍ଥିକ ବୃଦ୍ଧି କମିବା ନେଇ ଅନୁମାନ କରିଥିଲା। ଆଇଏମଏଫ୍ କହିଥିଲା ଯେ ବୈଶ୍ବିକ ବୃଦ୍ଧି ହାର ୨୦୨୨ ରେ ୩.୨ ପ୍ରତିଶତ ଏବଂ ୨୦୨୩ ରେ ହ୍ରାସ ୨.୭ ହେବା ନେଇ ଅନୁମାନ କରିଛି। ୨୦୨୧ ରେ ଏହା ୬ ପ୍ରତିଶତ ଥିଲା। ବୈଶ୍ବିକ ଆର୍ଥିକ ସଙ୍କଟ ଏବଂ କୋଭିଡ୍ ୧୯ ମହାମାରୀ ସମୟକୁ ବାଦ୍ ଦେଲେ ଏହା ୨୦୦୧ ପରେ ଏହି ଆର୍ଥିକ ବୃଦ୍ଧି ସବୁଠୁ କମ୍। କ୍ରିଷ୍ଟଲୀନା କହିଛନ୍ତି ଆଗାମୀ ଏକ ରୁ ଦୁଇ ମାସ ଚୀନ ପାଇଁ କଠିନ ହେବ ଏବଂ ବୈଶ୍ବିକ ବୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.