ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆକ୍ରମଣ ନେଇ ଆସିଲା ଧମକପୂର୍ଣ୍ଣ ଚିଠି
22/04/2023 at 4:01 PM

ଥିରୁଭନନ୍ତପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ନେଇ ଆସିଲା ଧମକ। କେରଳ ବିଜେପି ମୁଖ୍ୟ କେ. ସୁରେନ୍ଦ୍ରନଙ୍କ ପାଖକୁ ଏଭଳି ଧମକ ଆସିଛି ବୋଲି ସେ ସୂଚନା ଦେଇଛନ୍ତି। ସୋମବାର ଠାରୁ ୨ ଦିନିଆ କେରଳ ଗସ୍ତରେ ଆସୁଛନ୍ତି ମୋଦୀ। ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବା ସହ କୋଚୀର ପ୍ରଥମ ୱାଟର ମେଟ୍ରୋର ମଧ୍ୟ ଶୁଭାରମ୍ଭ କରିବେ। ହେଲେ ତାହା ପୂର୍ବରୁ ଏଭଳି ଧମକପୂର୍ଣ୍ଣ ମେସେଜ୍ ଆସିଜି ପ୍ରଧାନମନ୍ତ୍ରୀଙ୍କ ନାଁରେ।
ଚିଠିଟି କୋଚିର ଜଣେ ବ୍ୟକ୍ତିଙ୍କ ଦ୍ୱାରା ମାଲାୟାଲମ ଭାଷାରେ ଲେଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆପଣଙ୍କର ରାଜୀବ ଗାନ୍ଧୀଙ୍କ ଭଳି ଅବସ୍ଥା ହେବ ବୋଲି ଚିଠିରେ ଲେଖାଯାଇଛି। ସପ୍ତାହେ ପୂର୍ବରୁ ରାଜ୍ୟ ବିଜେପି ପାର୍ଟି ଅଫିସ୍ ଠିକଣାରେ ଏହି ଚିଠି ଲେଖାଯାଇଛି। ସୁରେନ୍ଦ୍ରନ ଏହାକୁ କେରଳ ଡିଜିପିଙ୍କୁ ଦେଇ ତଦନ୍ତ ପାଇଁ ଦାବି କରିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, କୋଚିର ଏନ୍କେ. ଜନି ନାଁରେ ଚିଠି ଆସିଛି ବୋଲି ପୁଲିସ ଜାଣିବାକୁ ପାଇଛି।
ତେବେ ଜନି କିନ୍ତୁ ଏଭଳି ଚିଠି ପଠାଇ ନଥିବା କହିଛନ୍ତି। ତାଙ୍କୁ ଫସାଇବାକୁ କେହି ତାଙ୍କ ନାଁରେ ଏଭଳି ଚିଠି ପଠାଇଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଘଟଣା ପଛରେ ଯାହାର ହାତ ଅଛି ଜନି ସେହି ବ୍ୟକ୍ତିଙ୍କ ନାଁ ବି ପୁଲିସକୁ କହିଥିଲେ। ପୁଲିସ ମାମଲାର ଅଧିକ ତଦନ୍ତ କରୁଛି।