ଜମ୍ମୁ: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଟିକେଟ ବିତରଣକୁ ନେଇ ବିଜେପିରେ ଆଉ ଏକ ବିଦ୍ରୋହ ହୋଇଥିବା ବେଳେ ବରିଷ୍ଠ ପାର୍ଟି ନେତା ଚନ୍ଦ୍ରମୋହନ ଶର୍ମା ଶୁକ୍ରବାର ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି। ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ବୋଲି ଧମକ ଦେଇଛନ୍ତି। ଏହି କେନ୍ଦ୍ର ଶାସିତ ପ୍ରଦେଶର ବିଧାନସଭା ନିର୍ବାଚନରେ ଟିକଟ ବିତରଣକୁ ନେଇ ବିଜେପିରେ ଏବେ ଅସନ୍ତୋଷ ଦେଖା ଦେଇଛି। ଜମ୍ମୁର କେତେକ ଜିଲ୍ଲାରେ ପାର୍ଟି ନେତା ଓ କାର୍ଯ୍ୟକର୍ତ୍ତା ବିରୋଧ ପ୍ରଦର୍ଶନ କରୁଛନ୍ତି।
ତେବେ ପାର୍ଟି ଡ୍ୟାମେଜ କଣ୍ଟ୍ରୋଲରେ ଲାଗି ପଡିଛି। କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତାଙ୍କୁ ଅସନ୍ତୁଷ୍ଟଙ୍କୁ ମନେଇବା କାମରେ ଲଗେଇ ଦେଇଛି। ତେବେ ତ୍ୱଇ ଆନ୍ଦୋଳନର ସଂଯୋଜକ ଚନ୍ଦ୍ରମୋହନ ଶର୍ମା ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଟିକେଟର ଅନୁଚିତ ବିତରଣକୁ ନେଇ ପାର୍ଟି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟତେ ଅସନ୍ତୋଷ ଦେଖା ଦେଇଛି। ଏଣୁ ସେମାନେ ସେମାନଙ୍କ ଅସନ୍ତୋଷ ଦେଖାଇବା ପାଇଁ ପ୍ରଦର୍ଶନ କରୁଛନ୍ତି।
ଚନ୍ଦ୍ରମୋହନ ଶର୍ମା ଟିକଟ ବିତରଣ ପ୍ରସ୍ତାବକୁ ଅନୁପଯୁକ୍ତ ଢଙ୍ଗରେ ଉପସ୍ଥାପନା କରାଯାଇଥିବାରୁ ହାଇକମାଣ୍ଡଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥି ପାଇଁ ସେ ପ୍ରଦେଶ ନେତୃତ୍ୱକୁ ସମାଲୋଚନା କରିଛନ୍ତି। ପେଷାରେ ଓକିଲ ଶର୍ମା ୧୯୭୦ ଦଶକରେ ପାର୍ଟି (ସେତେବେଳର ସଂଘ)ରେ ଯୋଗ ଦେଇଥିଲେ। ସେ କହିଛନ୍ତି ଯେ ମୋର ବିଶ୍ୱାସ ପାର୍ଟି ନେତୃତ୍ୱ ମୋ ଇସ୍ତଫା ସ୍ୱୀକାର କରିବେ। ସେ କହିଛନ୍ତି ଯେ ପାର୍ଟି ଯଦି ଜମ୍ମୁ ପୂର୍ବ ବିଧାନସଭା କ୍ଷେତ୍ରରେ ପାର୍ଥୀ ବଦଳାଇବାକୁ ନିଷ୍ପତ୍ତି ନିଏ ତେବେ ଠିକ୍ ଅଛି। ନଚେତ ମୁଁ ସେହି କାର୍ଯ୍ୟକର୍ତ୍ତାଙ୍କ ଆହ୍ୱାନକୁ ସ୍ୱୀକାର କରିବି ଯେଉଁମାନେ ଚାହୁଁଛନ୍ତି ସେହି ଆସନରେ ମୁଁ ନିର୍ଦ୍ଦଳୀୟ ନିର୍ବାଚନ ଲଢେ।
ଶର୍ମା କହିଛନ୍ତି ଯେ ଏଠାରେ ଡେରା ପକାଇଥିବା ବରିଷ୍ଠ ବିଜେପି ନେତା ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଅନ୍ତୁ । ଦୀର୍ଘ ଦଶନ୍ଧୀ ଧରି ଜନସଂଘରେ ସାମିଲ ରହିବା ଓ ବିଜେପି କାର୍ଯ୍ୟକର୍ତ୍ତା ରୂପେ ଅନେକବାର ଜେଲ ଯାଇଥିବା ଶର୍ମା ପ୍ରଦେଶ ପାର୍ଟିର ବରିଷ୍ଠ ନେତା ହୋଇଥିବା ସତ୍ତ୍ୱେ ଉପେକ୍ଷାର ଶିକାର ହୋଇଛନ୍ତି। ଏଥି ପାଇଁ ସେ ଦୁଃଖ ବ୍ୟକ୍ତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଜି.କେ.ରେଡ୍ଡୀ, ଜିତେନ୍ଦ୍ର ସିଂହ ଓ ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ ଆଦି ଏବେ ଜମ୍ମୁରେ ଡେରା ପକାଇଛନ୍ତି ଓ ଏହି ନିର୍ବାଚନରେ ପାର୍ଟି ସମ୍ମୁଖରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି।