ତେଲଗୁ ଫିଲ୍ମ ରିବେଲ୍ ଷ୍ଟାର ଉପ୍ପଲପଟି କ୍ରିଷ୍ଣମ ରାଜୁଙ୍କ ପରଲୋକ, ୫୦ ବର୍ଷର ଫିଲ୍ମ କ୍ୟାରିଅର, ୧୮୦ରୁ ଅଧିକ ଫିଲ୍ମରେ କରିଛନ୍ତି ଅଭିନୟ
11/09/2022 at 9:49 AM

ହାଇଦ୍ରାବାଦ: ଭେଟେରାନ ତେଲଗୁ ଆକ୍ଟର ଉପ୍ପଲପଟି କ୍ରିଷ୍ଣମ ରାଜୁଙ୍କର ପରଲୋକ ହୋଇଛି। ରବିବାର ସେ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କ୍ରିଷ୍ଣମ ରାଜୁଙ୍କର ପତ୍ନୀ ଓ ୩ ଝିଅ ଅଛନ୍ତି। ତା ଛଡ଼ା ବାହୁବଳି ଷ୍ଟାର ପ୍ରଭାସଙ୍କର କକା ହେଉଛନ୍ତି କ୍ରିଷ୍ଣମ ରାଜୁ।
ପ୍ରାୟ ୫ ଦଶନ୍ଧୀ ଧରି ତେଲଗୁ ସିନେମାରେ କାମ କରିଥିବା କ୍ରିଷ୍ଣମ ରାଜୁ ୧୮୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ତାଙ୍କୁ ଟଲିଉଡ୍ର ରିବେଲ ଷ୍ଟାର ବୋଲି କୁହାଯାଏ। ସେ ସାମାଜିକ, ଫ୍ୟାମିଲ, ରୋମାଣ୍ଟିକ, ଥ୍ରିଲର, ଐତିହାସିକ ଓ ପୌରାଣିକ ଆଦି ସିନେମାରେ ଅଭିନୟ କରିଛନ୍ତି। ଅମର ଦୀପମ, ସୀତା ରମୁଲୁ, କଟକାଟାଲ ରୁଦ୍ରାୟ ଆଦି ଫିଲ୍ମ ତାଙ୍କର ସଫଳ ଫିଲ୍ମ ବୋଲି କୁହାଯାଏ।
ତାଙ୍କର ଚମତ୍କାର ଅଭିୟନ ପାଇଁ ତାଙ୍କୁ ଦୁଇଥର ଆନ୍ଧ୍ରପ୍ରଦେଶ ସରକାର ନନ୍ଦି ଆୱାର୍ଡରେ ସମ୍ମାନିତ କରିଥିବା ବେଳେ ୧୯୮୬ର ଫିଲ୍ମ ‘ତନ୍ଦ୍ରା ପାପାରାୟୁଡୁ’ ତାଙ୍କୁ ଫିଲ୍ମ ଫେୟାର ପୁରସ୍କାର ମିଳିଛି। ସେହିପରି ୨୦୦୬ରେ ଫିଲ୍ମ ଫେୟାର ସାଉଥ ଲାଇଫଟାଇମ ଆଚିଭ୍ମେଣ୍ଟ ଆୱାର୍ଡରେ କ୍ରିଷ୍ଣମ ରାଜୁଙ୍କୁ ସମ୍ମାନିତ କରାଯାଇଛି। ୧୯୪୦ ମସିହା ଜାନୁଆରୀ ୨୦ ତାରିଖ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ କ୍ରିଷ୍ଣମ ରାଜୁ ୧୯୬୬ରେ ‘ଚିଲିକା ଗୋରିଙ୍କା’ ଫିଲ୍ମ ଜରିଆରେ ଟଲିଉଡ୍ରେ ଡେବ୍ୟୁ କରିଥିଲେ।
ସିନେମା ଜଗତରେ ସଫଳ ହେବା ପରେ ରାଜନୀତିରେ ପାଦ ରଖିଥିଲେ କ୍ରିଷ୍ଣମ ରାଜୁ।୧୯୯୨ ମସିହାରେ ନରସାପୁରମରେ କଂଗ୍ରେସରୁ ନିର୍ବାଚନ ଲଢ଼ିଥିଲେ। ପୁଣି ୧୯୯୯ରେ ସମାନ ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହେବା ପରେ ୨୦୦୪ରୁ ସେ ବାଜପେୟୀଙ୍କ କ୍ୟାବିନେଟ୍ର ଜୁନିୟର ମନ୍ତ୍ରୀ ହୋଇଥିଲେ।