ମୁମ୍ବାଇ: ଶିବସେନାର ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ବିଦ୍ରୋହରେ ମହାରାଷ୍ଟ୍ରରେ ନୂତନ ରାଜନୈତିକ ସଙ୍କଟ ସୃଷ୍ଟି କରିଛି। କ୍ଷମତାସୀନ ମହାବିକାଶ ଅଘାଡି ମେଣ୍ଟ ସରକାର ଉପରେ ସଙ୍କଟର କଳାବାଦଲ ଛାଇ ରହିଛି। ଏହା ମଧ୍ୟରେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ବିଦ୍ରୋହୀ ବିଧାୟକଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସେମାନଙ୍କୁ ବହୁମୂଲ୍ୟ ଭୋଗିବାକୁ ପଡିବ। ଗୁରୁବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ପାଓ୍ଵାର କହିଛନ୍ତି, ଉଦ୍ଧବ ସରକାରଙ୍କ ପାଖରେ ବହୁମତ ରହିଛି ଏବଂ ଏନସିପିର ପୂରା ସମର୍ଥନ ରହିଛି।
ମୁମ୍ବାଇରେ ଏନସିପି ପ୍ରମୁଖ କହିଛନ୍ତି, ଏମଭିଏ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି। ମୋ ମତରେ ଥରୁଟିଏ ଶିବସେନାର ବିଧାୟକ ମୁମ୍ବାଇ ଫେରି ଆସିଲେ ସ୍ଥିତି ବଦଳି ଯିବ। ବର୍ତ୍ତମାନ ଉଦ୍ଧବ ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ରହିଛି। ସେ ଏହା ମଧ୍ୟ କହିଛନ୍ତି, ବହୁମତ ନିଷ୍ପତ୍ତି ବିଧାନସଭାରେ ହେବ। ଥରୁଟିଏ ସମସ୍ତ ବିଧାୟକ ମୁମ୍ବାଇ ପହଞ୍ଚିଗଲେ ସ୍ଥିତିରେ ପରିବର୍ତ୍ତନ ଆସିବ। ବର୍ତ୍ତମାନ ସମୟ କାହାର ଦୋଷ ତ୍ରୁଟି ଦେଖିବାର ନୁହେଁ। ତାଙ୍କର ବିଶ୍ଵାସ ଯେ, ମହା ବିକାଶ ଅଘାଡି ସରକାର ଏହି ସଙ୍କଟରୁ ମୁକୁଳିଯିବ। ଶକ୍ତି ପରୀକ୍ଷା ସ୍ପଷ୍ଟ କରିବ କାହା ପାଖରେ ସଂଖ୍ୟା ଗରିଷ୍ଠତା ଅଛି ବୋଲି ପାଓ୍ଵାର କହିଛନ୍ତି।
ପାଓ୍ଵାର ବିଜେପି ଉପରେ ଟାର୍ଗେଟ୍ କରି କହିଛନ୍ତି, ସମସ୍ତେ ଜାଣିଛନ୍ତି କେମିତି ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ ଗୁଜରାଟ ଏବଂ ପୁଣି ଆସାମ ନିଆଗଲା। ସେମାନଙ୍କୁ ସାହାଯ୍ୟ କରିଥିବା ଲୋକଙ୍କ ନାମ କହିବାର ଆବଶ୍ୟକ ନାହିଁ। ଆସାମ ସରକାର ତାଙ୍କ ସାହାଯ୍ୟ କରିଛନ୍ତି। ମୋତେ ଆଗକୁ କାହାରି ନାମ ନେବାର ଆବଶ୍ୟକତା ନାହିଁ ବୋଲି ପାଓ୍ଵାର କହିଛନ୍ତି।