ପଦ ଛାଡ଼ିଲେ Realme ଭାରତ ମୁଖ୍ୟ ମାଧବ ସେଠ, ନୂଆ ନିଯୁକ୍ତିକୁ ନେଇ ସସପେନ୍ସ
23/03/2023 at 11:04 PM

ନୂଆଦିଲ୍ଲୀ, ୨୩/୦୩: ପଦ ଛାଡ଼ିଲେ ରିୟଲ ମି ଇଣ୍ଡିଆ ମୁଖ୍ୟ ମାଧବ ସେଠ। ଗୁରୁବାର ସେ ପଦ ଛାଡ଼ିଥିବାବେଳେ କମ୍ପାନି ଛାଡ଼ିଛନ୍ତି କି’ ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯିବ ତାହାକୁ ନେଇ ସସପେନ୍ସ ରହିଛି।
ନିକଟରେ କମ୍ପାନିର ସେଲ୍ସ ନିର୍ଦ୍ଦେଶକ ଦୀପକ ନାକ୍ରାଙ୍କ ପଦ ଛାଡ଼ିବା ପରେ ଏହି ଚାଇନିଜ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଏହାର ଅନ୍ତରୀଣ ପୁନର୍ଗଠନ କରିଥିଲା। ଦୀପକ ଗତ ବର୍ଷ ଡିସେମ୍ବରରେ ପଦ ଛାଡ଼ିଥିଲେ ଏବଂ ତାଙ୍କ ସ୍ଥାନରେ ନିସାର ନାଇକୁ ଅଫ୍ଲାଇନ୍ ରିଟେଲ ବ୍ୟବସାୟ ସମ୍ଭାଳିବେ ଏବଂ ଦୀପେଶ ପୁନାମିୟା AIoT (ଆଟିଫିସିଆଲ ଇଣ୍ଟେଲିଜେନ୍ସ ଅଫ୍ ଥିଙ୍ଗ୍ସ) ବ୍ୟବସାୟ ସମ୍ଭାଳିବେ।
ସେଠ କମ୍ପାନିର ଭାରତୀୟ ମୁଖ୍ୟ ଥିଲେ ଏବଂ ରିୟଲ ମି’ର ଅନ୍ତର୍ଜାତୀୟ ବ୍ୟବସାୟର ପ୍ରେସିଡେଣ୍ଟ ମଧ୍ୟ ଥିଲେ। ଏହା ସହ ସେ ୟୁରୋପ୍ ଏବଂ ଭାରତ ବ୍ୟବସାୟ ସମ୍ଭାଳୁଥିଲେ। ସେ ସିଧାସଳଖ ରିୟଲ ମି’ର ସିଇଓ ଏବଂ ସଂସ୍ଥାପକ ସ୍କାଏ ଲି ଙ୍କୁ ରିପୋର୍ଟ କରୁଥିଲେ। ସେଠଙ୍କ ଇସ୍ତଫା ଦେବାର କାରଣ ଜଣାପଡ଼ିନାହିଁ।
ତେବେ କୁହାଯାଉଛି ବ୍ରାଣ୍ଡ୍ ବିଭିନ୍ନ ରାଜ୍ୟରେ ଡିଷ୍ଟ୍ରିବ୍ୟୁଟରଙ୍କୁ ନେଇ କିଛି ଆଇନଗତ ସମସ୍ୟାର ସାମ୍ନା କରୁଛି। କିଛି ମାସ ତଳେ, ମହାରାଷ୍ଟ୍ରର ପ୍ରାୟ ୨୨ଟି ଅଞ୍ଚଳର ଡିଷ୍ଟ୍ରିବ୍ୟୁଟର ଇଗଲ ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଇଗଲ ଇଗଲକ୍ଟ୍ରୋନିକ୍ସ ସେମାନଙ୍କର ୬୦-୭୦ କୋଟି ଟଙ୍କା ଆଡଭାନ୍ସ ନେଇଛି କିନ୍ତୁ ଷ୍ଟକ୍ ପଠାଉନାହିଁ।
ନର୍ଥ, ଏବଂ ସାଉଥ୍ ମହାରାଷ୍ଟ୍ର, ମରାଠାଓ୍ବାଡ଼ା ଏବଂ କୋଙ୍କଣ କ୍ଷେତ୍ର ପାଇଁ ଇଗଲ ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ୨୦୧୯ ଠାରୁ ହେଉଛି ରିୟଲ ମିର ଜୋନାଲ ଡିଷ୍ଟ୍ରିବ୍ୟୁଟର ଭାବରେ କାମ କରୁଛି।