ନିର୍ଭୟାଙ୍କ ଦୋଷୀଙ୍କୁ ଫାଶୀ ଦେବାକୁ ପ୍ରସ୍ତୁତ ବୋଲି କହିଲେ ପବନ

Published By : Prameya-News7 Bureau | January 08, 2020 IST

ନୂଆଦିଲ୍ଲୀ ୮।୧: ବହୁ ପ୍ରତୀକ୍ଷିତ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଅଭିଯୁକ୍ତ କିଛି ଦିନ ପରେ ଫାଶୀ ଖୁଣ୍ଟରେ ଝୁଲିବେ । ଉତ୍ତରପ୍ରଦେଶର ମିରଟରେ ରହୁଥିବା ପବନ ସିଂହ ସେମାନଙ୍କର ଘାତକ ସାଜିବେ । ଦୋଷୀମାନଙ୍କୁ ଫାଶୀରେ ଚଢ଼ାଇବା ବାବଦରେ ପବନ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ସେମାନଙ୍କୁ ଫାଶୀ ଦେବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଏବଂ ସେମାନଙ୍କୁ ଫାଶୀ ଦେବା ଉଚିତ ।

ତେବେ ଫାଶୀର ପ୍ରକ୍ରିୟା ବାବଦରେ ପ୍ରକାଶ କରି ପବନ କହିଛନ୍ତି, ଫାଶୀ ତାରିଖର ୨-୩ ଦିନ ପୂର୍ବରୁ ମୁଁ ତିହାର ଜେଲ୍‌ରେ ପହଞ୍ଚି ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବି । ଫାଶୀର ୧ ଦିନ ପୂର୍ବରୁ ସେମାନଙ୍କର ଓଜନ ମପାଯିବ । ପରେ ସେମାନଙ୍କ ଓଜନର ବାଲି ନିର୍ମିତ ନମୁନା ପ୍ରସ୍ତୁତ କରି ଫାଶୀ ଅଭ୍ୟାସ କରାଯିବ । ପରେ କୋର୍ଟ ନିର୍ଦ୍ଦେଶ ଦେଇଥିବା ତାରିଖରେ ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ ।

ଉଲ୍ଲେଖଯୋଗ୍ୟ, ଏହି କାମ ପୱନଙ୍କର ବଂଶାନୁଗତିକ ବୃତ୍ତି । ପୂର୍ବରୁ ତାଙ୍କର ବାପା ମମ୍ମୁ ସିଂହ ଏବଂ ଜେଜେ କଲ୍ଲୁ ସିଂହ ମଧ୍ୟ ଘାତକ ଭାବେ କାମ କରୁଥିଲେ । ତାଙ୍କ ପିତା ଇନ୍ଦିରା ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ । ପୱନଙ୍କୁ ଏଥିନିମନ୍ତେ ମାସିକ ୫ ହଜାର ଟଙ୍କା ଦରମା ମିଳିଥାଏ ।

ନିର୍ଭୟା ମାମଲାର ୪ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କୁ ତିହାରର ଜେଲ୍‌ ନମ୍ବର ୨ରେ ରଖାଯାଇଥିଲା ବେଳେ ଅନ୍ୟ ଜଣଙ୍କୁ ଜେଲ୍‌ ନମ୍ବର ୪ରେ ରଖାଯାଇଛି । ତିହାରର ୩ ନମ୍ବର ଜେଲ୍‌ରେ ଫାଶୀ ଖୁଣ୍ଟ ରହିଛି । ସଂସଦ ଭବନ ଆକ୍ରମଣର ଦୋଷୀ ଅଫଜଲ ଗୁରୁକୁ ରଖାଯାଇଥିଲା । ୩ ନମ୍ବର ଜେଲ୍‌ରେ ପ୍ରବେଶ କରିବା ପରେ ସିଧା ଯାଇ ଡାହାଣକୁ ଗଲେ ଏହି ଫାଶୀ କୋଠରୀକୁ ରାସ୍ତା ପଡିଛି । ଫାଶୀ କୋଠରୀକୁ ଲାଗି ରହିଛି ୧୬ଟି ଅତି ସମ୍ବେଦନଶୀଳ ସେଲ୍‌ । ସେଠାରେ ବଡବଡ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରଖାଯାଇଥାଏ । ସେଠାରେ ୫୦ ବର୍ଗ ମିଟରରେ ତିଆରି କରାଯାଇଛି ଫାଶୀ କୋଠରୀ । ସେହି କୋଠରୀର ଦ୍ୱାର ସବୁବେଳେ ବନ୍ଦ ରହିଥାଏ । ଫାଶୀ କୋଠରୀ ଭିତରେ ପ୍ରବେଶ କରିବା ପରେ ବାମ ପଟକୁ ରହିଛି ଫାଶୀଖୁଣ୍ଟି । ଫାଶୀ ଦିଆଯିବାକୁ ଥିବା ପ୍ଲାଟଫର୍ମ ତଳେ ଏକ ବେସ୍‌ମେଣ୍ଟ ନିର୍ମାଣ କରାଯାଇଛି । ବେସ୍‌ମେଣ୍ଟକୁ ଯିବାକୁ ପ୍ରାୟ ୨୦ଟି ପାହାଚ ରହିଛି । ବେସ୍‌ମେଣ୍ଟ ତଳକୁ ଓହ୍ଲାଇ ଫାଶୀ ପାଇଥିବା ବ୍ୟକ୍ତିଙ୍କ ମୃତଦେହ ବାହାର କରାଯାଏ । ଫାଶୀ କୋଠରୀର ଉପରେ କୌଣସି ଛାତ ନାହିଁ । ତା ନିକଟରେ ଏକ ଛୋଟ ପାର୍କ ତିଆରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.