୧ ମିନିଟ୍ରେ ପଢନ୍ତୁ ବଜେଟ୍ର ୧୦ ବଡ଼ ଘୋଷଣା, ସମସ୍ତ ବର୍ଗଙ୍କୁ ଧ୍ୟାନ ରଖିଛନ୍ତି ସରକାର !
1/02/2023 at 6:29 PM

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର କେନ୍ଦ୍ରର ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି। ସେ ପ୍ରତ୍ୟେକ ବର୍ଗଙ୍କୁ ସୁହାଇଲା ପରି ଅନେକ ବଡ ବଡ ଘୋଷଣା କରିଛନ୍ତି। ଏଥିରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଟ୍ୟାକ୍ସରେ ରିହାତିଠୁ ନେଇ କୃଷକଙ୍କ ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ ପରି ଯୋଜନା ସାମିଲ୍। ୧୦ ପଏଣ୍ଟରେ ଜାଣନ୍ତୁ ପୂରା ବଜେଟ୍।
୧ – ବଜେଟ୍ରେ ନୂତନ ଟ୍ୟାକ୍ସ ଯୋଜନା ଆଧାରରେ ଏବେ ୫ ଲକ୍ଷ ଟଙ୍କା ବଦଳରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ।
୨ – ୩ ରୁ ୬ ଲକ୍ଷ ଟଙ୍କା ଉପରେ ବର୍ତ୍ତମାନ ୫ ପ୍ରତିଶତ, ୬ ଲକ୍ଷରୁ ୯ ଲକ୍ଷ ଉପରେ ୧୦ ପ୍ରତିଶତ, ୯ ରୁ ୧୨ ଲକ୍ଷ ଉପରେ ୧୫ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ।
୩ – ମହିଳାଙ୍କ ପାଇଁ କେନ୍ଦ୍ର ସରକାର ‘ମହିଳା ସମ୍ମାନ ସଞ୍ଚୟ ଯୋଜନା’ ଆରମ୍ଭ କରିଛନ୍ତି। ଯୋଜନା ଅଧିନରେ ମହିଳା କିମ୍ବା ବାଳିକାଙ୍କ ନାମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରାଯାଇ ପାରିବ। ଏହା ଉପରେ ୭.୫ ପ୍ରତିଶତର ସୁଧ ମିଳିବ। ମହିଳା ସମ୍ମାନ ଯୋଜନା ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ।
୪ – ସବୁଜ ବିପ୍ଳବ ପାଇଁ କେନ୍ଦ୍ର ୩୫ ହଜାର କୋଟି ଟଙ୍କା ନିବେଶ ସହିତ ଏକ କୋଟି କୃଷକଙ୍କୁ ସାତ ବର୍ଷ ପର୍ଯ୍ୟନ୍ତ ଜୈବିକ ଚାଷ ପାଇଁ ସହାୟତା ପ୍ରଦାନ କରାଯିବ।
୫ – ଗରିବ ଲୋକଙ୍କୁ ଘର ନିର୍ମାଣ ପାଇଁ ପିଏମ ଆବାସ ଯୋଜନା ଆଧାରରେ ୭୯ ହଜାର କୋଟି ଟଙ୍କା ଆବଣ୍ଟିତ କରାଯିବ। ସରକାର ଏହି ଯୋଜନା ପାଇଁ ୬୬ ପ୍ରତିଶତ ଅର୍ଥ ରାଶି ବୃଦ୍ଧି କରିଛନ୍ତି। ବିମାନ ଯାତ୍ରା ସରଳ ପାଇଁ ୫୦ ନୂତନ ବିମାନ ବନ୍ଦର ନିର୍ମାଣ କରାଯିବ।
୬ – ଆସନ୍ତା ଆର୍ଥିକ ବର୍ଷରେ ୪୭ ଲକ୍ଷ ଯୁବକଙ୍କୁ ନୂତନ ପାଠ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦିଆଯିବ। ଉଚ୍ଚ ଶିକ୍ଷା ପାଇଁ ପ୍ରାୟ ୩୦ ଲକ୍ଷ ଯୁବକଙ୍କ ବୃତ୍ତି ଉପଲବ୍ଧ କରାଯିବ ତଥା ୩୦ ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ସ୍ଥାପନ କରାଯିବ।
୭ – ସମଗ୍ର ଦେଶରେ ଏମଏସଏମଇ ସେକ୍ଟରକୁ ୨ ଲକ୍ଷ କୋଟି ଟଙ୍କାର ଋଣ ମିଳିବ। ନୂତନ ଯୋଜନା ଆଧାରରେ ଏକ ପ୍ରତିଶତ କମ ସୁଧ ହାରରେ ଋଣ ମିଳିବ। ବ୍ୟାଙ୍କ ସହଜରେ ଋଣ ଉପଲବ୍ଧ କରିବେ ଏବଂ ଏଥିରେ ସରକାର ଗ୍ୟାରେଣ୍ଟର ଭାବେ କାମ କରିବେ। ଯେଉଁ ଏମଏସଏମଇର ବାର୍ଷିକ ଆୟ ୩ କୋଟି ଟଙ୍କା ପର୍ଯ୍ୟନ୍ତ ରହିବ ତା ଉପରେ ଟ୍ୟାକ୍ସ ଛାଡ ରହିବ। ଏଥିସହିତ ୭୫ ଲକ୍ଷ ଆୟ କରୁଥିବା ପେଶାଦାରଙ୍କୁ ଟ୍ୟାକ୍ସରେ ରିହାତି ମିଳିବ।
୮ – ପ୍ୟାନକୁ କମନ ବିଜନେସ୍ ଆଇଣ୍ଡେଟିଫାୟର କରାଯିବ। ଅର୍ଥାତ ପ୍ୟାନର ବ୍ୟବହାର ସମସ୍ତ ନେଣଦେଣ ଉପରେ କରାଯିବ। ଆପଣ ଯଦି ଡିଜିଟାଲ୍ ପେମେଣ୍ଟରେ ଏହାର ବ୍ୟବହାର କରିବାକୁ ଚାହାନ୍ତି ତେବେ ଆପଣଙ୍କୁ ପ୍ୟାନ୍ ନମ୍ବର ଦେବାକୁ ପଡିବ।
୯ – ରେଲ ବିଭାଗକୁ ମୋଟ୍ ୨.୪ ଲକ୍ଷ କୋଟି ଟଙ୍କ ବ୍ୟୟ ବରାଦ କରାଯାଇଛି। ଏଥିରେ ରେଳ ସଂପର୍କିତ ସମସ୍ତ ଯୋଜନା କାର୍ଯ୍ୟକାରୀ ହେବ।
୧୦ – ଆର୍ଥିକ ବର୍ଷ ୨୦୨୩-୨୪ରେ ସରକାର ଆଦିବାସୀଙ୍କ ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟ ନିର୍ମାଣ କରିବେ। ଏଥିପାଇଁ ସରକାର ୧୫ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି।