ଗମାଙ୍ଗ ବାପ-ପୁଅ ନୂଆ ଦଳ ଗଢିବା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ବିଜେଡି-କଂଗ୍ରେସ
14/01/2023 at 2:38 PM

ଜୟପୁର ୧୪/୦୧: ପଦ୍ମ ପୋଖରୀ ଛାଡି ଚନ୍ଦ୍ର ଶେଖର ରାଓଙ୍କ ନୂଆ ଦଳ ଭାରତ ରାଷ୍ଟ୍ର ସମିତିରେ ସାମିଲ ହୋଇପାରନ୍ତି ବରିଷ୍ଠ ବିଜେପି ନେତା ଡକ୍ଟର ଗିରିଧର ଗମାଙ୍ଗ ଓ ତାଙ୍କର ପୁଅ ଶିଶିର ଗମାଙ୍ଗ । କିଛି ଦିନ ତଳେ ବାପା ପୁଅ ଯୋଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି । ତେବେ ଏମାନେ ନୂଆ ଦଳର ମଙ୍ଗ ଧରିଲେ ଓଡିଶା ରାଜନୀତି ବିଶେଷ କରି ଦକ୍ଷିଣ ଓଡିଶାରେ କଣ ପ୍ରଭାବ ପଡିବ ତାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଆଲୋଚନା ।
ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଓ କଂଗ୍ରେସ । ଗମାଙ୍ଗ ପରିବାରର ଦିନେ ଦବଦବା ଥିଲା । କିନ୍ତୁ ଏବେ ଆଉ ସେମାନଙ୍କର ପ୍ରଭାବ ରାଜନୀତିରେ ନାହିଁ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ସେମାନେ ବିଜେପିରେ ଅଛନ୍ତି।ବିଜେପିରେ ରହିଲେ ହିଁ ଭଲ । ସେମାନଙ୍କୁ କଂଗ୍ରେସ ସବୁ କିଛି ଦେଇଥିଲା । ତେଣୁ ଆଉ ରାଜନୀତିରେ ପୁନର୍ଜିବିତ ପାଇଁ ସେମାନେ ଅନ୍ୟ ଦଳକୁ ଗଲେ ସେମାନଙ୍କ ସମ୍ମାନ ଆଉ ରହିବନି । ନୂଆ ଦଳରେ ସେମାନେ ଯଦି ସାମିଲ ହେବେ ତାହା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବାହିନୀପତି ।
ସେପଟେ ବିଜେଡି ନେତା ରବି ନନ୍ଦ କହିଛନ୍ତି ନୂଆଁ ଦଳର ରାଜ୍ୟ ରାଜନୀତିରେ କୌଣସି ସ୍ଥାନ ନାହିଁ । ଏଠି କେବଳ ବିଜେଡି ,ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ଚାଲିଛି । ଡକ୍ଟର ଗମାଙ୍ଗଙ୍କ ପ୍ରତି ସମ୍ମାନ ରହିଛି ହେଲେ ନୂଆଁ ଦଳର କୌଣସି ପ୍ରଭାବ ଓଡ଼ିଶାରେ ପଡିବନି ବୋଲି କହିଛନ୍ତି ରବି ନନ୍ଦ ।