ବଜେଟ୍ ପ୍ରତିକ୍ରିୟା: ଆସୋଚାମ କହିଲା ରାଷ୍ଟ୍ରନିର୍ମାଣର ରୋଡମ୍ୟାପ୍, କିନ୍ତୁ ବିରୋଧୀଙ୍କ ମନକୁ ପାଉନି
1/02/2023 at 6:18 PM

ଭୁବନେଶ୍ବର, ୦୧/୦୨: ବୁଧବାର ସଂସଦରେ ଉପସ୍ଥାପିତ ହୋଇଛି ୨୦୨୩-୨୪ କେନ୍ଦ୍ରୀୟ ବଜେଟ୍। ସେପଟେ ବଜେଟ୍କୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପାରମ୍ପରିକ ଭାବରେ କ୍ଷମତାସୀନ ଦଳର ନେତାମାନେ ବଜେଟ୍କୁ ପ୍ରଶଂସା କରୁଥିବାବେଳେ ବିରୋଧୀ ନେତାମାନେ ଦର୍ଶାଇଛନ୍ତି ତ୍ରୁଟି। ଆସନ୍ତୁ ଜାଣିବା ନିର୍ମଳା ସୀତାରମଣଙ୍କ ପଞ୍ଚମ ବଜେଟ୍ ଉପରେ କିଏ କିଏ କ’ଣ କହିଛନ୍ତି ?
ଆସୋଚାମ: ଭାରତର ପ୍ରମୁଖ ବ୍ୟବସାୟିକ ସଂଘ ଆସୋଚାମ ଅର୍ଥାତ୍ ଆସୋସିଏଟେଡ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଇଣ୍ଡିଆ ମତରେ- ୨୦୨୩-୨୪ କେନ୍ଦ୍ରୀୟ ବଜେଟ୍ ଦେଶ ନିର୍ମାଣର ଏକ ନକ୍ସା ବା ରୋଡ୍ ମ୍ୟାପ୍। ଏହା ନିରବଚ୍ଛିନ୍ନ ଭାବେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ସରକାରୀ ଅର୍ଥ ବିନିଯୋଗ ଜାରି ରଖିବା ସହ ନିରନ୍ତର ଆର୍ଥିକ ବିକାଶ, ଉପଯୋଗ ଚାହିଦାକୁ ପ୍ରୋତ୍ସାହନ ଦେବାବେଳେ କଡ଼ା କଡ଼ି ଭାବେ ବିତ୍ତୀୟ ଶୃଙ୍ଖଳାର ଅନୁପାଳନକୁ ମଧ୍ୟ ଗୁରୁତ୍ବ ଦେଉଛି।
କବିତା କଲବକୁନ୍ତଳା: ବିଆରଏସ୍ ନେତ୍ରୀ: ତେଲଙ୍ଗାନାରା କ୍ଷମତାସୀନ ବିଆରଏସ୍ ନେତ୍ରୀ କବିତା କଲବକୁନ୍ତଳା ବଜେଟ୍କୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଏହି ବଜେଟ୍ ମୋଦି ସରକାରଙ୍କ ବିଫଳତାକୁ ଗାଣିତିକ ଭାବେ ନିଶ୍ଚିତ କରୁଛି। ଅଳ୍ପକିଛି ରାଜ୍ୟଙ୍କୁ ଆଖି ଆଗରେ ରଖି ସରକାର ଏହି ବଜେଟ୍ ପ୍ରସ୍ତୁତ କରିଛନ୍ତି। ଆମେ ଆୟକର ରିହାତି ସୀମା ୧୦ ଲକ୍ଷ ପ୍ଲସ ଆଶା ରଖିଥିଲୁ। କାରଣ ତେଲଙ୍ଗାନାରରେ କର୍ମଚାରୀମାନେ ଭଲ ଦରକାର ପାଉଥିବାବେଳେ ଏହି ଆୟକର ସୀମା ସେମାନଙ୍କୁ କିଛି ଫାଇଦା ଦେବନାହିଁ।
ମମତା ବାନାର୍ଜୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରସ୍ ସୁପ୍ରିମୋ ମମତା ବାନାର୍ଜୀ ୨୦୨୩-୨୪ କେନ୍ଦ୍ରୀୟ ବଜେଟ୍କୁ ଜନବିରୋଧୀ ଆଖ୍ୟା ଦେଇଛନ୍ତି। ଏହା ଦରିଦ୍ର ଜନତାଙ୍କୁ ହତାଶ କରିବ ଏବଂ ଆୟକର ଛଡ଼ ସୀମା ବୃଦ୍ଧି କାହାରିକୁ ସାହାଯ୍ୟ କରିବ ନାହିଁ। କେନ୍ଦ୍ରୀୟ ବଜେଟ୍ ଦୂରଦୃଷ୍ଟି ବିହୀନ, ଭବିଷ୍ୟତ ପାଇଁ ଦିଶାହୀନ ଏବଂ ସଂପୂର୍ଣ୍ଣ ଭାବେ ସୁବିଧାବାଦୀ ବୋଲି କହିଛନ୍ତି ମମତା। ବେକାରୀ ପାଇଁ କିଛି ଆଶା ନଥିବା ଏହି ବଜେଟ୍ ୨୦୨୪ ନିର୍ବାଚନକୁ ଆଖିରେ ରଖି ନିଆଯାଇଥିବା ଆକ୍ଷେପ କରିଛନ୍ତି ମମତା ବାନାର୍ଜୀ।
ଅରବିନ୍ଦ ଜେଜ୍ରିଓ୍ବାଲ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ କେନ୍ଦ୍ର ବଜେଟ୍ ୨୦୨୩-୨୪କୁ ନାପସନ୍ଦ କରିଛନ୍ତି। ମୁଦ୍ରାସ୍ଫିତିରୁ ରକ୍ଷାଭଳି ଏହି ବଜେଟ୍ରେ କିଛି ନାହିଁ। ଏଥିରେ ବେକାରୀ ସମସ୍ୟାର ମୁକାବିଲା ଲାଗି କିଛି ଠୋସ୍ ଯୋଜନା ନାହିଁ। ବରଂ ଓଲଟା ଏହା ଦରବୃଦ୍ଧିକୁ ପ୍ରୋତ୍ସାହନ କରିବ ବୋଲି ଆମ ଆଦମୀ ପାର୍ଟି ନେତା କହିଛନ୍ତି।
ଡିମ୍ପଲ ଯାଦବ: ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବଙ୍କ ମତରେ ବଜେଟ୍ ୨୩-୨୪ କେବଳ ଆଗାମୀ ନିର୍ବାଚନକୁ ଆଖିରେ ରଖି ପ୍ରସ୍ତୁତ କରାଯାଇଛି। ଏଥିରେ ସରକାର ଚାଷୀଙ୍କ ଲାଗି ଏମ୍ଏସ୍ପି, କର୍ମନିଯୁକ୍ତି ଏବଂ ଯୁବପୀଢ଼ିଙ୍କ ପାଇଁ ସରକାର ସେପରି କିଛି କରିନାହାନ୍ତି। । ଏହା ଏକ ନିରୁତ୍ସାହ ଜନିତ ବଜେଟ୍।
କେ ସୁରେଶ, କଂଗ୍ରେସ: ଏହା ଏକ କର୍ପୋରେଟ୍ ବଜେଟ୍। ଆଦାନୀଙ୍କ ସମସ୍ତ ସ୍ବାର୍ଥ ଏହି ବଜେଟ୍ରେ ପୂରଣ ହେବ କିନ୍ତୁ ସାଧାରଣ ଲୋକେ ବଞ୍ଚିତ ହେବେ। ଏହି ବଜେଟ୍ ଆଦାନୀ, ଅମ୍ବାନୀ, ଗୁଜରାଟ ପାଇଁ ବୋଲି କହିଛନ୍ତି କଂଗ୍ରେସ ନେତା କେ ସୁରେଶ।
ସ୍ମୃତି ଇରାନୀ: କେନ୍ଦ୍ରୀୟ ବଜେଟ୍ ୨୦୨୩-୨୪ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ଅନେକ କିଛି ଆଣିଛି। ସେମାନଙ୍କ ଲାଗି ଏହା ଏକ ସମ୍ଭାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଏହି ବଜେଟ୍ରେ ଅନୁସୂଚିତ ଜାତି, ଜନଜାତି, ଓକିଲ, ମହିଳା, ବରିଷ୍ଠ ନାଗରିକ ସମସ୍ତଙ୍କ ପାଇଁ ଅନେକ କଥା ରହିଛି। ଏହା ଏକ ଜନହିତକାରୀ ବଜେଟ୍।
କିର୍ତ୍ତୀ ଚିଦାମ୍ବରମ୍: କଂଗ୍ରେସ ନେତା କିର୍ତ୍ତୀ ଚିଦାମ୍ବରମ୍ କହିଛନ୍ତି ସେ କମ୍ ଟିକସ ଢାଞ୍ଚାରେ ବିଶ୍ବାସ କରନ୍ତି। ତେଣୁ କୌଣସି ପ୍ରକାର ଟିକସ ହ୍ରାସ ସ୍ବାଗତଯୋଗ୍ୟ। କାରଣ ଲୋକଙ୍କ ହାତରେ ଅଧିକ ଅର୍ଥ ରହିବା ହିଁ ଅର୍ଥନୀତିକୁ ପ୍ରୋତ୍ସାହିତ ବା ଅଭିବୃଦ୍ଧି କରିବାର ଶେଷ୍ଠ ବାଟ।
ତେଜସ୍ବୀ ସୂର୍ଯ୍ୟା, ବିଜେପି: ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟା ଏହି ବଜେଟ୍ ପାଇଁ ଅର୍ଥମନ୍ତ୍ରୀ ଓ ପ୍ରଧାମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି କର୍ଣ୍ଣାଟକର ଅପରଭଦ୍ରା ଅଞ୍ଚଳ ପାଇଁ ବଜେଟ୍ରେ ୫୦୦୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଘୋଷଣା କର୍ଣ୍ଣାଟକର ଭାଗ୍ୟ ବଦଳାଇଦେବ।
ଶଶୀ ଥରୁର: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କ ମତରେ ବଜେଟ୍ ୨୦୨୩-୨୪ ରେ କିଛି ଭଲ କଥା ଥିଲେ ବି ମନରେଗା, ଗ୍ରାଞ୍ଚଳର ଗରିବ ଶ୍ରମିକ, କର୍ମନିଯୁକ୍ତି ଏବଂ ମୁଦ୍ରାସ୍ପିତି ଆଦିକୁ ଦୃଷ୍ଟି ଦିଆଯାଇନାହିଁ। ଏହି ବଜେଟ୍ରେ ଅନେକ ମୌଳିକ ପ୍ରଶ୍ନର ଉତ୍ତର ନାହିଁ।