ମଧ୍ୟବିତ୍ତଙ୍କ ପାଖରେ ପହଞ୍ଚାଅ ସରକାରୀ ଯୋଜନା: ପ୍ରଧାନମନ୍ତ୍ରୀ ମୋଦୀ
30/01/2023 at 8:37 AM

ନୂଆଦିଲ୍ଲୀ: ଫେବ୍ରୁଆରୀ ୧ ତାରିଖରେ ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ସରକାର। ୨୦୨୪ ନିର୍ବାଚନ ପୂର୍ବରୁ ଚଳିତ ବିଜେପି ସରକାରଙ୍କର ଏବା ଶେଷ ବଜେଟ୍ ହେବ। ତେଣୁ ଏଥିପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ।
ଏହି ବୈଠକରେ କ୍ୟାବିନେଟ୍ ସେକ୍ରେଟେରୀ ୨୦୧୪ ପର ଠାରୁ ମୋଦୀ ସରକାରଙ୍କ ଦ୍ୱାରା ନିଯାଇଥିବା ସମସ୍ତ ନିଷ୍ପତ୍ତି ଓ ଯୋଜନା ସମ୍ପର୍କରେ ପ୍ରେଜେଣ୍ଟେସନ ଦେଇଥିଲେ। ପ୍ରେଜେଣ୍ଟେସନ ଦେଖି ସାରିବା ପରେ କେନ୍ଦ୍ର ସରକାରଙ୍କର ସମସ୍ତ ନିଷ୍ପତ୍ତିକୁ ପ୍ରତ୍ୟେକ ଘରେ ପହଞ୍ଚାଇବାକୁ ମୋଦୀ କହିଥିଲେ। ପ୍ରତ୍ୟେକ ମନ୍ତ୍ରାଳୟର କାମକୁ ନିର୍ଭୟରେ ଦେଶବାସୀଙ୍କ ପାଖରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ବିଭାଗୀୟ ମନ୍ତ୍ରୀମାନଙ୍କୁ ଉପଦେଶ ଦେଇଥିବା ସୂଚନା ମିଳିଛି।
ଯେଉଁ ମଧ୍ୟବିତ୍ତ ପରିବାର ମୋଦୀ ସରକାର ଆସିବାରେ ସହଯୋଗ କରିଛନ୍ତି ବିଭାଗୀୟ ମନ୍ତ୍ରୀମାନେ ସେମାନଙ୍କ ମନ୍ତ୍ରାଳୟର ଥିବା ସମସ୍ତ ସୁବିଧା ସୁଯୋଗକୁ ଜଣାଇବାକୁ ସେମାନଙ୍କ ପାଖରେ ପହଞ୍ଚନ୍ତୁ ବୋଲି ମୋଦୀ ଚାହିଁଛନ୍ତି। ମନ୍ତ୍ରାଳୟର କାମ ବିଷୟରେ ଲୋକମାନେ ସୋସିଆଲ୍ ମିଡିଆରେ ଜାଣିବା ନିହାତି ଦରକାର। ଜି-୨୦ର ଅଧ୍ୟକ୍ଷତା ମିଳିବା ଭାରତର ବଡ଼ ସଫଳତା। ତେଣୁ ଏହାକୁ ଅଧିକରୁ ଅଧିକ ପ୍ରଚାର ପ୍ରସାର କରିବା ଦରକାର ବୋଲି ମୋଦୀ କହିଛନ୍ତି।
କେଭଳ ସେତିକି ନୁହେଁ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମୋଦୀ ସରକାରଙ୍କର ସଫଳତାର ପ୍ରଚାର ପ୍ରସାର ହେବା ଦରକାର। ଗରିବ ଲୋକଙ୍କ ପାଇଁ ହୋଇଥିବା ଯୋଜନାଗୁଡ଼ିକ ସେମାନଙ୍କ ପାଖରେ ପହଞ୍ଚିବା ଦରକାର। ଯୋଜନା ବିଷୟରେ ସେମାନେ ଜାଣିବା ଦରକାର ବୋଲି ମୋଦୀ ନିର୍ଦ୍ଦେଶ ଦେଇଥିବା ଖବର ମିଳିଛି।
ଆଗକୁ ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ଥିବା ବେଳେ ମୋଦୀ ସରକାରରେ କ୍ୟାବିନେଟ୍ ମନ୍ତ୍ରାଳୟର ପୁନର୍ଗଠନ ହୋଇପାରେ। ଏନେଇ ଚର୍ଚ୍ଚା ଲାଗି ରହିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ମୋଦୀ ସରକାରରେ କ୍ୟାବିନେଟ୍ ବୈଠକ ବସିଛି।