ବିଦ୍ୟୁତ୍‌ ତାର ଲାଗି ଦୁଇ ମାଈ ହାତୀ ମୃତ୍ୟୁ ଘଟଣା: ତଦନ୍ତ କଲେ ଆରସିସିଏଫ ଓ ବିଦ୍ୟୁତ ବିଭାଗର ଏସଇ

Published By : Prameya-News7 Bureau | August 25, 2022 IST

କେନ୍ଦୁଝର, ୨୫/୮: ବିକାଶ ନାମରେ ଚାଲିଛି ଜଙ୍ଗଲର ବ୍ୟାପକ ବିନାଶ । ଫଳରେ ଜୀବ-ଜନ୍ତୁ ଭୋକ ବିକଳରେ ସହର ମୁହାଁ ହୋଇ ବାରମ୍ବାର ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି କ୍ରମରେ ଆଜି ଭୋର ସମୟରେ ୯ଟିକିଆ ଏକ ହାତୀ ପଲ (ଯେଉଁଥିରେ ୫ଟି ମାଇ , ୨ଟି ଦନ୍ତା ଓ ୨ଟି ଛୁଆ ହାତୀ ଥିଲେ) ଭୋକ ବିକଳରେ ଜୁଡ଼ିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ପରିସରକୁ ପଶି ଆସି ଡାଳ, ପତ୍ର ଓ ଲଟା ଖାଉଥିଲେ। ହେଲେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଟି ମାଇ ହାତୀଙ୍କର ଅତିଦୟନୀୟ ଅବସ୍ଥାରେ ମୃତ୍ୟୁ ଘଟିଛି ।

ହାତୀ ମୃତ୍ୟୁ ଖବର ପାଇ ବନ ବିଭାଗର RCCF, ଶକ୍ତି ବିଭାଗର SEଙ୍କ ସହ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ପ୍ରାଥମିକ ତଦନ୍ତରୁ RCCF ଜାଣିବାକୁ ପାଇଛନ୍ତି ଯେ ବିଦ୍ୟୁତ ତାର ୨.୪ ମିଟର ଉଚ୍ଚତାରେ ଥିଲା । ଯାହାକି ସାଧାରଣ ଉଚ୍ଚତା ଠାରୁ କମ ଉଚ୍ଚତାରେ ଥିବା ସହ ତାର କେବୁଲିଂ ହୋଇ ନଥିବାରୁ ଓ ବିଦ୍ୟୁତ ଫ୍ୟୁଜ ନ ଉଡିବାରୁ ହାତୀଙ୍କର ମୃତ୍ୟୁ ହୋଇଥିବା RCCF ସୂଚନା ଦେଇଛନ୍ତି ।

ସେପଟେ ବିଦ୍ୟୁତ ବିଭାଗର SE ତାର ଖୋଲା ଥିବା ଯୋଗୁ ହାତୀଙ୍କର ମୃତ୍ୟୁ ହୋଇଥିବା କଥାକୁ ସ୍ୱିକାର କରିଛନ୍ତି । ଏହା ସହ ତଦନ୍ତ ପରେ କାହା ଦୋଷରୁ ହାତୀର ମୃତ୍ୟୁ ହେଲା ଜଣାପଡିବ ବୋଲି କହିଛନ୍ତି ଉଭୟେ । ଯାହା ବି ହେଉ ଉଭୟ ବିଭାଗର ସମନ୍ଵୟ ଆଭାବରୁ ନିରିହ ହାତୀଙ୍କର ଜୀବନ ଯାଉଛି । ସାଧାରଣ ଲୋକେ କିନ୍ତୁ ହାତୀ ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.