ବଢ଼ିପାରେ ବଡ଼ ନୋଟ୍ର ବଦଳି ଅବଧି; ଅକ୍ଟୋବର ଶେଷ ଯାଏଁ ହେବ ସମ୍ପ୍ରସାରଣ !
30/09/2023 at 12:41 PM

ନୂଆଦିଲ୍ଲୀ,୨୯/୯: ବଢ଼ିପାରେ ୨୦୦୦ ଟଙ୍କିଆ ନୋଟ୍ର ବଦଳ ଡେଡ୍ଲାଇନ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ଅକ୍ଟୋବର ଶେଷ ଯାଏଁ ଏହି ଅବଧିକୁ ବଢ଼ାଇପାରନ୍ତି । ଏନେଇ ଜଣେ ଆରବିଆଇ ଅଧିକାରୀ ସୂଚନା ଦେଇଛନ୍ତି । ଆର୍ବିଆଇ ୨୦୦୦ ଟଙ୍କିଆ ନୋଟ୍ ଜମା ଏବଂ ବଦଳ ସମୟସୀମାକୁ ଅନ୍ୟୁନ ମାସେ ବଢ଼ାଇପାରେ । କାରଣ ଏଥିରେ ପ୍ରବାସୀ ଭାରତୀୟ ଏବଂ ବିଦେଶରେ ରହୁଥିବା ଲୋକମାନଙ୍କ କଥା ବି ଧ୍ୟାନକୁ ନିଆଯାଉଛି ।
କ୍ଲିନ୍ ନୋଟ୍ ପଲିସି ଆଧାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟକୁ ବନ୍ଦ କରିବାକୁ ଯାଉଛି । ଏଥିରେ ପାଇଁ ବଡ଼ ନୋଟ୍ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମେ’ ୧୯ରେ ଏକ ସର୍କୁଲାର ଜାରି କରି ୨୦୦୦ ଟଙ୍କିଆ ନୋଟ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କଗୁଡ଼ିକରେ ଜମା କିମ୍ବା ବଦଳ କରିବା ପାଇଁ ଆରବିଆଇ ନିର୍ଦ୍ଦେଶ ଦେଇଥିଲା । ତେବେ 3ଦିନ ତଳେ ଏକ ରିପୋର୍ଟ ଆସିଥିଲା, ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ସମସ୍ତ ୨ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କ ଫେରିନଥିବା କୁହାଯାଇଛି । ଏଯାଏ ୩,୦୫,୬୦୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କଗୁଡ଼ିକୁ ଫେରିଛି । ଆହୁରି ୭ ପ୍ରତିଶତ ନୋଟ୍ ବା ୨୫ ହଜାର କୋଟି ମୂଲ୍ୟର ନୋଟ୍ ବ୍ୟାଙ୍କରେ ଡିପୋଜିଟ୍ ହୋଇନାହିଁ । ତେଣୁ ଆରବିଆଇ ଏହି ନୋଟ୍ ବଦଳି ଅବଧି ବୃଦ୍ଧି କରିପାରେ ବୋଲି କୁହାଯାଉଛି ।
ସରକାରଙ୍କ ପକ୍ଷରୁ ଜାରି ଗାଇଡ୍ଲାଇନ୍ ଅନୁସାରେ, ବ୍ୟାଙ୍କରେ ନୋଟ୍ ବଦଳାଇବା ପାଇଁ କୌଣସି ପ୍ରକାର ଦସ୍ତାବିଜ୍ ଦେବାକୁ ପଡୁନାହିଁ । ଥରକରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨,୦୦୦ ଟଙ୍କିଆ ନୋଟ୍ ବଦଳାଇ ଅନ୍ୟ ମୂଲ୍ୟାଙ୍କ ନୋଟ୍ ନେଉଛନ୍ତି ଗ୍ରାହକ । ଜଣେ ଲୋକଙ୍କର ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ବି ସେ କୌଣସି ବି ବ୍ୟାଙ୍କରେ ଥରକେ ୨୦ ହଜାର ଟଙ୍କା ଯାଏ ୨ ହଜାର ଟଙ୍କିଆ ନୋଟ ବଦଳାଇପାରିବେ । କୌଣସି ନିୟମ ସହ ଅନ୍ୟ ବୈଧାନିକ ଆବଶ୍ୟକତା ଅନୁସାରେ ଲୋକେ ଯେ କୌଣସି ମୂଲ୍ୟ ଏବଂ ବିନା ପ୍ରତିବନ୍ଧକରେ ଅର୍ଥ ଜମା କରିପାରିବେ । ବ୍ୟାଙ୍କ ଆକାଉଣ୍ଟରେ ଜମା କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନାହିଁ । ଲୋକେ ଯେତେମାତ୍ରାରେ ଚାହିଁବେ ନୋଟ୍ ଜମା କରିପାରିବେ ।