ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକିକାନ୍ତ ଦାସ ନିଜର ଶେଷ ମୁଦ୍ରାନୀତି ସମୀକ୍ଷାରେ ଚାଷୀଙ୍କୁ ବଡ଼ ଭେଟି ଦେଇଛନ୍ତି । ଦରଦାମ ବୃଦ୍ଧିରୁ ଚାଷୀଙ୍କୁ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ବିନା ଗ୍ୟାରେଣ୍ଟିରେ ଏଣିକି ଦୁଇ ଲକ୍ଷ ଟଙ୍କା ଯାଏ ଋଣ ଦିଆଯିବ ବୋଲି ଆରବିଆଇ ଘୋଷଣା କରିଛି । ବର୍ତ୍ତମାନ ଯାଏ ଏହି ସୀମା ୧.୬ ଲକ୍ଷ ଟଙ୍କା ଥିଲା । ଏହା ପୂର୍ବରୁ ଆରବିଆଇ ଲଗାତାର ୧୧ଥର ପାଇଁ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ ନକରିବା ପାଇଁ ନିଷ୍ପତ୍ତି ନେଇଥିଲା । ଅର୍ଥାତ୍ ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ । ଅନ୍ୟପଟେ କ୍ୟାସ୍ ରିଜର୍ଭ ରେସିଓ ହ୍ରାସ କରି ୪ ପ୍ରତିଶତ କରାଯାଇଛି । ଆରବିଆଇର ନିଷ୍ପତ୍ତି ପରେ ଦେଶର ବ୍ୟାଙ୍କଗୁଡ଼ିକୁ ୧.୧୫ ଲକ୍ଷ କୋଟି ଟଙ୍କା ବୁଷ୍ଟ ମିଳିବ ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାନୀତି ସମୀକ୍ଷାରେ ନିଆଯାଇଥିବା ନିଷ୍ପତ୍ତିର ସୂଚନା ଦେଇଛନ୍ତି । ଦରବୃଦ୍ଧି ଏବଂ ଚାଷରେ ବ୍ୟବହାର ହେଉଥିବା କଞ୍ଚା ମାଲର ଖର୍ଚ୍ଚ ବୃଦ୍ଧିକୁ ଦେଖି ଗ୍ୟାରେଣ୍ଟି ଫ୍ରି ଆଗ୍ରି ଲୋନ୍କୁ ୨ ଲକ୍ଷ ଟଙ୍କା କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏହି ସୀମା ୧.୬ ଲକ୍ଷ ଟଙ୍କା ଥିଲା । ଏହି ନିଷ୍ପତ୍ତି ପରେ ଆର୍ଥିକ ସଂସ୍ଥାନଗୁଡ଼ିକରୁ ଋଣ ନେଉଥିବା ଚାଷୀଙ୍କ ପରିଧି ବଢିବ । ୨୦୧୦ ମସିହାରେ ଆରବିଆଇ କୃଷି କ୍ଷେତ୍ରକୁ ବିନା କୌଣସି ଗ୍ୟାରେଣ୍ଟିରେ ଏକ ଲକ୍ଷ ଟଙ୍କା ଯାଏ ଲୋନ ଦେବାକୁ ସ୍ଥିର କରିଥିଲା । ୨୦୧୯ରେ ଏହାର ସୀମାକୁ ବଢାଇ ୧.୬ ଲକ୍ଷ ଟଙ୍କା କରାଯାଇଥିଲା । ଏସଂକ୍ରାନ୍ତରେ ଖୁବଶୀଘ୍ର ସର୍କୁଲାର ଜାରି କରାଯିବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଚଳିତ ଆର୍ଥିକ ବର୍ଷର ପଞ୍ଚମ ମୁଦ୍ରାନୀତି ସମୀକ୍ଷା ବୈଠକରେ ଲାଗାତାର ୧୧ଥର ପାଇଁ ପଲିସି ରେଟ୍ ଅପରିବର୍ତ୍ତିତ ରଖିଛି । ତେବେ ଅର୍ଥନୀତିରେ ନଗଦ ମାତ୍ରାକୁ ବଢାଇବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ସିଆରଆର (କ୍ୟାସ୍ ରିଜର୍ଭ ରେସିଓ)କୁ ୪.୫ ପ୍ରତିଶତରୁ ହ୍ରାସ କରି ୪% କରାଯାଇଛି । ଏହି ପଦକ୍ଷେପ ପରେ ବଜାରକୁ ନଗଦ ଟଙ୍କା ଛାଡ଼ିବା ପାଇଁ ୧.୧୬ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ନଗଦ ଉପଲବ୍ଧ ହେବ । ସିଆରଆର ଅନୁସାରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ନିଜ ଜମାର ଏକ ନିର୍ଦ୍ଧାରିତ ଅଂଶକୁ କେନ୍ଦ୍ରୀୟ ବ୍ୟାଙ୍କରେ ନଗଦ ଆକାରରେ ରଖିବାକୁ ପଡ଼ିଥାଏ ।