ନୂଆଦିଲ୍ଲୀ ୦୯/୦୪: ଦେଶର ବ୍ୟାଙ୍କିଙ୍ଗ ନିୟାମକ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ଦେଶର କୋଟି କୋଟି ଲୋକଙ୍କୁ ଋଣ EMI ରେ ଆଶ୍ୱସ୍ତି ଦେଇଛି। ଆରବିଆଇର ଏମପିସି ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଯାହା ପରେ ରେପୋ ହାର ୬.୨୫ ପ୍ରତିଶତରୁ ହ୍ରାସ ପାଇ ୬ ପ୍ରତିଶତ ହୋଇଛି। ବିଶ୍ୱବ୍ୟାପୀ ଟ୍ରମ୍ପଙ୍କ ଶୁଳ୍କ ଲାଗୁ ଚକିତ କରିଥିବାବେଳେ ଆସିଛି RBIର ଏହି ନିଷ୍ପତ୍ତି । ଏହି ନିଷ୍ପତ୍ତି ପରେ, ବିଶ୍ୱରେ ମୁଦ୍ରାସ୍ଫୀତି ଏବଂ ମାନ୍ଦାବସ୍ଥାର ସମ୍ଭାବନା ବୃଦ୍ଧି ପାଇଛି। ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ଯିବାର ସମ୍ଭାବନା ଥିବାବେଳେ RBIର ଏହି ନିଷ୍ପତ୍ତିକୁ ଆଶ୍ୱସ୍ତି ବୋଲି ଚର୍ଚ୍ଚା ହେଉଛି ।
RBI MPCର ଅଧିକାଂଶ ସଦସ୍ୟ ୦.୨୫ ପ୍ରତିଶତ ହ୍ରାସ ପାଇଁ ସୁପାରିଶ କରିଥିଲେ। ଯାହା ପରେ ରେପୋ ହାରକୁ ଏତେ ହ୍ରାସ କରିବାର ନିଷ୍ପତ୍ତି ନିଆଯାଇଥିଲା। RBI MPCର ୫୪ତମ ବୈଠକ ଏବଂ ନୂତନ ଆର୍ଥିକ ବର୍ଷ FY୨୬ ର ପ୍ରଥମ ବୈଠକର ଫଳାଫଳ ଘୋଷଣା କରିବା ସମୟରେ, RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବିଶ୍ୱ ଆର୍ଥିକ ଉତ୍ତେଜନା ଓ ବାଣିଜ୍ୟ ଯୁଦ୍ଧ ଉପରେ ଚିନ୍ତା ପ୍ରକଟ କରିଥିଲେ। ସେ କହିଛନ୍ତି ଯେ ଏହି ଚ୍ୟାଲେଞ୍ଜିଂ ପରିବେଶରେ, କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରରେ ୨୫ ବେସିସ୍ ପଏଣ୍ଟ ହ୍ରାସ ଘୋଷଣା କରିଛି । ଏହା ପରେ ରେପୋ ହାର ୬ ପ୍ରତିଶତକୁ ହ୍ରାସ ପାଇଛି।
୨୦୨୫ ମସିହାରେ ଏହା ଲଗାତାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ବଡ଼ ଆଶ୍ୱସ୍ତି ଦେଇଛି। ପୂର୍ବରୁ ଫେବୃଆରୀରେ ଅନୁଷ୍ଠିତ ବୈଠକରେ ରେପୋ ହାର ୦.୨୫ ପ୍ରତିଶତ ହ୍ରାସ କରାଯାଇଥିଲା, ଯାହା ପରେ ଏହା ୬.୨୫ ପ୍ରତିଶତକୁ ହ୍ରାସ ପାଇଥିଲା। ଆପଣଙ୍କୁ କହି ରଖୁଛୁ ଯେ ପାଞ୍ଚ ବର୍ଷର ଦୀର୍ଘ ବ୍ୟବଧାନ ପରେ ଏହି ହ୍ରାସ କରାଯାଇଛି।
ଯେଉଁ ସୁଧହାରରେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ, ତାହାକୁ ରେପୋ ରେଟ୍ କୁହାଯାଏ । ଯେତେବେଳେ ଏହା ହ୍ରାସ ପାଏ ସେତେବେଳେ ବ୍ୟାଙ୍କଗୁଡ଼ିକୁ ଶସ୍ତାରେ ଫଣ୍ଡ୍ ମିଳିଥାଏ । ଯାହାଫଳରେ ବ୍ୟାଙ୍କଗୁଡ଼ିକ ମଧ୍ୟ ନିଜ ଗ୍ରାହକମାନଙ୍କୁ ଶସ୍ତାରେ ଋଣ ପ୍ରଦାନ କରିଥାଆନ୍ତି ।