ପୁଣି ରେପୋ ରେଟ୍ ବଢାଇପାରେ ଆରବିଆଇ, ମୁଦ୍ରା ନୀତି ବୈଠକରେ ହୋଇପାରେ ଘୋଷଣା
26/03/2023 at 10:31 PM

ନୂଆଦିଲ୍ଲୀ: ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଏବେ ବି ଆରବିଆଇ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ଉପରେ ରହିଛି । ମୁଦ୍ରାସ୍ଫୀତି ୬ ପ୍ରତିଶତ ତଳେ ରଖିବାରେ ଆରବିଆଇ ବିଫଳ ହୋଇଛି । ବିଶ୍ୱର ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସହ ଆମେରିକାର ଫେଡେରାଲ ବ୍ୟାଙ୍କ ମଧ୍ୟ ସୁଧ ହାର ବଢାଇବାରେ ଲାଗିଛି । ଏହାରି ଭିତରେ ଆରବିଆଇ ମଧ୍ୟ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବଢାଇପାରେ । ଏପ୍ରିଲ ୬ରେ ହେବାକୁ ଏହାର ମୁଦ୍ରା ନୀତି ବୈଠକରେ ଏହି ଘୋଷଣା କରିପାରେ ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଦ୍ରା ନୀତି କିମିଟି ଆସନ୍ତା ଏପ୍ରିଲ ୩, ୫ ଏବଂ ୬ରେ ବୈଠକ କରିବ । ଏଥିରେ ଘରୋଇ ଏବଂ ବୈଶ୍ୱିକ ପ୍ରଙ୍ଗସ ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଦ୍ୱି-ମାସିକ ମୁଦ୍ରା ନୀତି ଉପରେ ଆଲୋଚନା କରିବେ ।
ଉଲ୍ଲେଖଯୋଗ୍ୟ ଯେ ଗତ ୨୦୨୨ ମେ’ରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲଗାତାର ସୁଧ ହାର ବଢାଇ ଚାଲିଛି । ଗତ ଫେବ୍ରୁଆରୀରେ ହୋଇଥିବା ମୁଦ୍ରା ନୀତି ବୈଠକରେ ଆରବିଆଇ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବଢାଇଥିଲେ । ବର୍ତ୍ତମାନ ଦେଶରେ ରେପୋ ରେଟ୍ ୬.୫୦% ରହିଛି ।