ବର୍ଷ ଶେଷରେ ଆରବିଆଇ ଝଟ୍କା; ପୁଣି ବଢିଲା ରେପୋ ରେଟ୍, ବଢିବ ଗାଡ଼ି ଓ ଗୃହ ଋଣ
7/12/2022 at 12:00 PM

ନୂଆଦିଲ୍ଲୀ: ଗ୍ରାହକଙ୍କୁ ରିଜର୍ଭ ବ୍ୟାଙ୍କର ଝଟ୍କା । ପୁଣି ବଢିଲା ରେପୋ ରେଟ୍ । ଚଳିତବର୍ଷ ପଞ୍ଚମ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ଉପରେ ୩୫ବେସିକ୍ ପଏଣ୍ଟ ବୃଦ୍ଧି ପାଇଛି । ଯାହାଫଳରେ ମହଙ୍ଗା ହେବ କାର୍, ହୋମ୍ ଓ ପର୍ସନାଲ ଲୋନ୍ ।
ରିଜର୍ଭ ବ୍ୟାଙ୍କ ରିପୋର୍ଟ ମୁତାବକ, ରେପୋ ରେଟ୍ ୦.୩୫ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବରୁ ରେପୋ ରେଟ୍ ୫.୯୦ ପ୍ରତିଶତ ରହିଥିଲା। ଏବେ ଏହା ୩୫ ବେସିକ୍ ପଏଣ୍ଟ୍ ବୃଦ୍ଧି ପାଇ ୬.୨୫ ପ୍ରତିଶତରେ ପହଞ୍ଚିବ । ଫଳରେ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ । ରେପୋ ରେଟ୍ ବୃଦ୍ଧି ଯୋଗୁ EMI ବଢିବ । ହୋମ୍ ଲୋନ୍, କାର୍ ଲୋନ୍ ଓ ପର୍ସନାଲ ଲୋନ୍ ମହଙ୍ଗା ହେବ । ଏମପିସି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ନିତିଗତ ଦରବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
ବର୍ଷ ଶେଷ ବେଳକୁ ବୃଦ୍ଧି ପାଇଛି ରେପୋ ରେଟ୍। ବର୍ତ୍ତମାନ ଏହା ୬.୨୫ ପ୍ରତିଶତରେ ପହଞ୍ଚିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଦେଶରେ ମୁଦ୍ରାସ୍ଫୀତି ହାରକୁ ୬ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ କରିବାକୁ ପଡିବ। ଅକ୍ଟୋବର ମାସରେ ମୁଦ୍ରାସ୍ଫୀତି ହ୍ରାସ ପାଇ ୬.୭୭ ପ୍ରତିଶତରେ ପହଞ୍ଚିଥିଲା ।