ବ୍ରିଟେନରେ ଗଚ୍ଛିତ ୧୦୦ ଟନ ସୁନା କାହିଁକି ଅଣିଲା ଭାରତ, କାରଣ କହିଲେ RBI ଗଭର୍ଣ୍ଣର

Published By : Prameya-News7 Bureau | June 07, 2024 IST

ମୁମ୍ବାଇ ୭।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ବ୍ରିଟେନରୁ ୧୦୦ ଟନ ସୁନାର ଭଣ୍ଡାର ଭାରତ ଆଣିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଆରବିଆଇ ବ୍ରିଟେନରେ ସଂଗୃହୀତ ନିଜର ୧୦୦ ଟନ ସୁନାକୁ ଘରୋଇ ଟ୍ରେଜରୀମାନଙ୍କୁ ଟ୍ରାନ୍ସଫର କରିଛି। ଏହା ୧୯୯୧ ମସିହା ପରେ ସବୁଠୁ ବଡ଼ ସୁନା ଟ୍ରାନ୍ସଫର। ୧୯୯୧ ମସିହାରେ ବୈଦେଶିକ ମୁଦ୍ରା ସଂକଟର ମୁକାବିଲା ନିମନ୍ତେ ଘରୋଇ ସୁନାର ଏକ ବିଶାଳ ଅଂଶକୁ ବନ୍ଧକ କରିବା ପାଇଁ ଟ୍ରେଜରୀମାନଙ୍କରୁ ବାହାର କରାଯାଇଥିଲା। 

ଦାସ କହିଛନ୍ତି ଯେ ବିଦେଶରେ ରଖାଯାଇଥିବା ସୁନାର ମାତ୍ରା ଦୀର୍ଘ ସମୟରୁ ସ୍ଥିର ଥିଲା। ଗତବର୍ଷମାନଙ୍କର ତଥ୍ୟ କହୁଛି ଯେ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାର ଅଂଶବିଶେଷ ରୂପେ ସୁନା କ୍ରୟ କରୁଛି ଓ ଏହି ମାତ୍ରା ବଢୁଛି। ଆମ ପାଖରେ ଘରୋଇ ଭଣ୍ଡାରଣ କ୍ଷମତା ରହିଛି। ଏଣୁ ଏହି ନିଷ୍ପତ୍ତି ନିଆଗଲା ଯେ ଭାରତ ବାହାରେ ରଖାଯାଇଥିବା ସୁନାକୁ ଆଣି ଦେଶରେ ରଖଯାଉ ।  ଦାସ କହିଛନ୍ତି ଯେ କାରଣ କେବଳ ଏତିକି। ଦେଶରେ ଭଣ୍ଡାର ସୁବିଧା ଥାଇ ବିଦେଶରେ ସୁନା ରହିବ କାହିଁକି? ଏଣୁ ଏହାର କୌଣସି ଅନ୍ୟ ଅର୍ଥ ବାହାର କରାଯିବା ଉଚିତ ନୁହେଁ। 

ଅଧିକାରୀକ ତଥ୍ୟ ହିସାବରେ ଆର୍ଥିକ ବର୍ଷ ୨୦୨୩-୨୪ରେ ଦେଶର ମୋଟ ସ୍ୱର୍ଣ୍ଣ ଭଣ୍ଡାରରେ ୨୭.୪୬ ଟନ ବୃଦ୍ଧି ହୋଇଛି ଓ ମୋଟ ସ୍ୱର୍ଣ୍ଣ ଭଣ୍ଡାର ବୃଦ୍ଧି ହୋଇ ୮୨୨ ଟନ ହୋଇଛି। ତେବେ ସୁନାର ଏକ ବଡ଼ ଅଂଶ ବିଦେଶରେ ଜମା ଥିଲା। ଅନ୍ୟ ଦେଶଙ୍କ ଭଳି ଭାରତର ସୁନା ମଧ୍ୟ ବ୍ୟାଙ୍କ ଅଫ ଇଂଲଣ୍ଡରେ ଜମାଥିଲା। ଭାରତକୁ ୧୦୦ ଟନ ସୁନା ଫେରାଇ ଆଣିବା ପରେ ସ୍ଥାନୀୟ ଭାବେ ଥିବା ସୁନା ମୋଟ ମାତ୍ରା ବଢି ୪୦୮ ଟନର ଅଧିକ ହୋଇଛି। ଏହାର ଅର୍ଥ ଏବେ ସ୍ଥାନୀୟ ଓ ବିଦେଶ ହୋଲ୍ଡିଂ ଏକ ସମାନ। 

କେନ୍ଦ୍ରୀୟ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁସାରେ ୨୦୨୩-୨୪ରେ ଜାରି କରାଯାଇଥିବା ନୋଟ ବଦଳେ ସ୍ଥାନୀୟ ସ୍ତରରେ ୩୦୮ ଟନରୁ ଅଧିକ ସୁନା ରଖିଛି। ଏହା ଛଡା ୧୦୦.୨୮ ଟନ ସୁନା ସ୍ଥାନୀୟ ସ୍ତରରେ ବ୍ୟାଙ୍କିଙ୍ଗ ବିଭାଗ ସମ୍ପତ୍ତି ଭାବେ ରହିଛି। ମୋଟ ସ୍ୱର୍ଣ୍ଣ ଭଣାରର ୪୧୩.୭୯ଟନ ସୁନା ବିଦେଶରେ ରଖା ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.