RBI ଗଭର୍ଣ୍ଣର କଲେ ବଡ଼ ଘୋଷଣା, ଜାନୁଆରୀ ପହିଲାରୁ ବଦଳିଯିବ ଡେବିଟ୍-କ୍ରେଡିଟ୍ କାର୍ଡ ପେମେଣ୍ଟ ପ୍ରକ୍ରିୟା
4/12/2020 at 6:01 PM

ନୂଆଦିଲ୍ଲୀ ୦୪/୧୨: ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ବ୍ୟାଙ୍କିଙ୍ଗ ନିୟମ। ସମ୍ପର୍କ ରହିତ(କଣ୍ଟାକ୍ଟଲେସ୍) ଡେବିଟ୍ ଓ କ୍ରେଡିଟ୍ କାର୍ଡ ପେମେଣ୍ଟକୁ ନେଇ ନୂଆ ନିୟମ ଆସିଛି। ନୂଆ ନିୟମ ସମ୍ପର୍କରେ ଘୋଷଣା କରିବା ଅବସରରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, କାର୍ଡ ମାଧ୍ୟମରେ ପେମେଣ୍ଟ କଲା ବେଳେ ‘ପିନ୍ କୋଡ୍’ର ଆବଶ୍ୟକତା ପଡ଼ିବ ନାହିଁ। ଏହା ଦ୍ବାରା ସପିଂ କରିବା ବେଳେ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।
ତେବେ ଏହି ପରିବର୍ତ୍ତନ ‘ଓ୍ବାନ ନେସନ୍ ଓ୍ବାନ କାର୍ଡ’ ସ୍କିମ୍ ଜରିଆରେ ଲାଗୁ ହୋଇଥିବା ଶକ୍ତିକାନ୍ତ ଦାସ କହିଛନ୍ତି। ବିନା ପିନ୍ରେ କାର୍ଡ ମାଧ୍ୟମରେ ଏଣିକି ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରାଯାଇପାରିବ। ଏହା ପୂର୍ବରୁ କଣ୍ଟାକ୍ଟଲେସ୍ ଡେଭିଟ୍/କ୍ରେଡିଟ୍ କାର୍ଡ ପେମେଣ୍ଟ ସୀମା ୨୦୦୦ ଟଙ୍କା ଥିଲା।
ଏହି କାର୍ଡ ଏକ ସ୍ମାର୍ଟ କାର୍ଡ। ଓ୍ବାନ ନେସନ ଓ୍ବାନ ରାସନ କାର୍ଡ ସ୍ମିମ୍ ଜରିଆରେ ଭାରତୀୟ କମ୍ପାନୀ ‘ରୁପେ’ କଣ୍ଟାକ୍ଟଲେସ୍ ଡେଭିଟ୍ ଓ କ୍ରେଡିଟ୍ କାର୍ଡ ଜାରି କରିଥିଲା। ଏବେ ଦେଶରେ ସମସ୍ତ ବ୍ୟାଙ୍କ ଯେଉଁ କ୍ରେଡିଟ ଓ ଡେବିଟ୍ କାର୍ଡ ଜାରି କରିବେ ସେଥିରେ ନ୍ୟାସ୍ନାଲ୍ କମନ୍ ମୋବିଲିଟି କାର୍ଡ ଫିଚର ରହିବ। ଏହି ଟେକ୍ନୋଲୋଜି ମାଧ୍ୟମରେ ଗ୍ରାହକଙ୍କୁ କାର୍ଡକୁ ସ୍ବାଇପ୍ କରିବାକୁ ପଡ଼ିବ ନାହିଁ। ପଏଣ୍ଟ ଅଫ୍ ସେଲ୍ ମେସିନ୍ ଉପରେ ଏହି କାର୍ଡ ରଖିଲେ ପେମେଣ୍ଟ ହୋଇଯିବ।