ଇସ୍ତଫା ଦେଲେ ଆରବିଆଇ ଗଭର୍ନର ଉର୍ଜିତ ପଟେଲ

Published By : Prameya-News7 Bureau | December 10, 2018 IST

ଦିଲ୍ଲୀ ୧୦/୧୨ : ଆରବିଆଇ ଗଭର୍ନର ଉର୍ଜିତ ପଟେଲ ଆଜି ନିଜ ପଦବୀ ଇସ୍ତଫା ଦେଇଛନ୍ତି | ସେ ଆସନ୍ତା ସେପ୍ଟେମ୍ବର ମାସରେ ଅବସର ନେଇଥାନ୍ତେ | ମୋଦି ସରକାରଙ୍କ ସହିତ ଚାଲିଥିବା ବିବାଦ ଯୋଗୁଁ କାର୍ଯ୍ୟକାଳ ପୁରା ହେବାର ୯ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି | ତେବେ ବ୍ୟକ୍ତିଗତ କାରଣ ଯୋଗୁଁ ସେ ଇସ୍ତଫା ଦେଇଥିବା କହିଛନ୍ତି |


ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ସରକାର ଏବଂ ଉର୍ଜିତ ପଟେଲଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା | ଆରବିଆଇ ଧାରା ୭ର ମଧ୍ୟ ସରକାର ଉପଯୋଗ କରିଥିଲେ | ପରେ ବିବାଦ ସମାଧାନ ହୋଇଯାଇଥିବା ଶୁଣିବାକୁ ମିଳିଥିଲା | ନଭେମ୍ବର ୧୯ ତାରିଖରେ ହୋଇଥିବା ଆରବିଆଇର ବୋର୍ଡ ମିଟିଂରେ ଚାଲିଥିବା ବିବାଦର କିଛି ସମାଧାନ ମଧ୍ୟ ହୋଇଯାଇଥିଲା | ଯାହାଫଳରେ ଉର୍ଜିତ ପଟେଲଙ୍କ ଇସ୍ତଫା ଦେବା ଆଶଙ୍କା ଟଳି ଯାଇଥିଲା | କିନ୍ତୁ ଆଜି ଅଚାନକ ସେ ଇସ୍ତଫା ଘୋଷଣା କରିଥିଲେ |


ଇସ୍ତଫା ଦେବା ପରେ ଉର୍ଜିତ ପଟେଲ କହିଛନ୍ତି ଯେ, ସେ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ଆରବିଆଇ ଗଭର୍ନର ପଦରୁ ଇସ୍ତଫା ଦେଇଛନ୍ତି | ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସହ କାମ କରିବା ତାଙ୍କ ପାଇଁ ବହୁତ ସମ୍ମାନ ଜନକ ଥିଲା ବୋଲି ସେ କହିଛନ୍ତି | ସେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ସୁଫଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣେଇଥିଲେ |


ସୂଚନାଯୋଗ୍ୟ ଯେ, ଦ୍ୱିତୀୟ ଥର ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ନର ନିଜ ପଦରୁ ଇସ୍ତଫା ଦେଇଛନ୍ତି | ଏହା ପୂର୍ବରୁ ୨୦୧୬ ମସିହା ଜୁନ ମାସରେ ଗଭର୍ନର ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ | କିନ୍ତୁ ସେ ତାଙ୍କର କାର୍ଯ୍ୟକାଳ ସାରିବା ପରେ ପଦ ଛାଡିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.