ବ୍ୟାଙ୍କମାନଙ୍କୁ ଆଦାନୀ ଗ୍ରୁପଙ୍କ ଋଣ-ନିବେଶର ବିବରଣୀ ମାଗିଲେ RBI
2/02/2023 at 4:43 PM

ନୂଆଦିଲ୍ଲୀ ୨।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶର ବ୍ୟାଙ୍କମାନଙ୍କୁ ଆଦାନୀ ସମୂହରେ ସେମାନଙ୍କ ଏକ୍ସପୋଜରର ସୂଚନା ମାଗିଛନ୍ତି। ସରକାର ଏବଂ ବ୍ୟାଙ୍କ କ୍ଷେତ୍ର ସୂତ୍ରରୁ ମିଳୁଥିବା ସୂଚନାରେ କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ଘରୋଇ ବ୍ୟାଙ୍କଙ୍କୁ ଆଦାନୀ ସମୂହରେ ସେମାନଙ୍କର ନିବେଶ ଓ ଋଣ ସମ୍ପର୍କରେ ସୂଚନା ଦେବାକୁ କହିଛନ୍ତି। ବଜାରରେ ଆଦାନୀ ସମୂହଙ୍କ ସେୟାର ମୂଲ୍ୟର ହେଉଥିବା ଉଠାପକା ପରେ ଆରବିଆଇ ଏହି ତଥ୍ୟ ଚାହିଁଛନ୍ତି।
ଆଦାନୀ ସମୂହ ବୁଧବାର ତାଙ୍କର ଏଫପିଓ ପ୍ରତ୍ୟାହାର କରିନେଇଛନ୍ତି। ଏଣୁ ଗୁରୁବାର ସକାଳେ ସେୟାର ବଜାର ଖୋଲିବା ମାତ୍ରେ ଆଦାନୀ ସମୂହଙ୍କ ସେୟାର ମୂଲ୍ୟରେ ହ୍ରାସ ଦେଖାଯାଇଛି। କୁହାଯାଉଛି କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କକୁ ଆଦାନୀ ସମୂହରେ ସେମାନଙ୍କ ପକ୍ଷରୁ କରାଯାଇଥିବା ନିବେଶ ଓ ଋଣର ତଥ୍ୟ ନେଇ ଏହା ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ସେୟାରରେ ହେଉଥିବା ଉଠାପକାରେ ସେମାନଙ୍କ ଆର୍ଥିକ ସ୍ଥିତି ଯେପରି ନ ବିଗିଡେ।
ଉଲ୍ଲେଖଯୋଗ୍ୟ ଯେ ଆଦାନୀ ସମୂହ ଉପରେ ହିଣ୍ଡନବର୍ଗ ରିପୋର୍ଟ ପରେ କମ୍ପାନୀଙ୍କ ସେୟାର ମୂଲ୍ୟରେ ହ୍ରାସ ଦେଖାଯାଇଛି। ଏଥି ମଧ୍ୟରେ ଆଦାନୀ ସମୂହ ସେମାନଙ୍କ ଏଫପିଓ ମଧ୍ୟ ପ୍ରତ୍ୟାହାର କରିଛନ୍ତି। ଗୁରୁବାର ଆଦାନୀ ସମୂହର ଆଦାନୀ ପୋର୍ଟସ୍ଙ୍କ ସେୟାର ମୂଲ୍ୟରେ ୧୪ ପ୍ରତିଶତ ହ୍ରାସ ଦେଖାଯାଇଛି। ସେହିପରି ଆଦାନୀ ଟ୍ରାନ୍ସମିସନ ସେୟାର ମୂଲ୍ୟରେ ୧୦ ପ୍ରତିଶତ ହ୍ରାସ ଦେଖାଦେଇଥିବା ବେଳେ ଆଦାନୀ ଗ୍ରୀନ ଏନର୍ଜୀ ସେୟାର ମୂଲ୍ୟରେ ୧୦ ପ୍ରତିଶତ, ଆଦାନୀ ଟୋଟାଲ ଗ୍ୟାସ୍ରେ ୧୦ ପ୍ରତିଶତ, ଆଦାନୀ ୱିଲମରରେ ୫ ପ୍ରତିଶତ, ଏନଡିଟିଭିରେ ୪.୯୯ ପ୍ରତିଶତ ଓ ଆଦାନୀ ପାୱାରରେ ୪.୯୮ ପ୍ରତିଶତ ହ୍ରାସ ହୋଇଛି।