ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଘଟଣା, ଟ୍ରାକରୁ ବଗି ହଟିବା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ
6/03/2023 at 8:00 AM

ରାୟଗଡ଼ା ୦୬।୦୩ : ରାୟଗଡ଼ା ଜିଲ୍ଲା କେଉଟଗୁଡା ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଘଟଣା। ଦୁର୍ଘଟଣା ଗ୍ରସ୍ତ ଟ୍ରେନକୁ ଟ୍ରାକରୁ ହଟାଗଲା। ଟ୍ରାକ୍ ମରାମତି ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି। ରାୟଗଡ଼ାରୁ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳକୁ ଯାଇ ଟ୍ରାକ୍ ମରାମତି ସହ ଦୁର୍ଘଟଣାଗ୍ରସ୍ତ ଟ୍ରେନକୁ ଟ୍ରାକରୁ ହଟାଇଥିଲେ।
ଖବର ଅନୁଯାୟୀ, ରାୟଗଡ଼ା ଠାରୁ ଦାମନଯୋଡି ଯାଉଥିବା ସମୟରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଯାଇଥିଲା। ଦାମନଯୋଡି ସ୍ଥିତ ନାଲକୋ କାରଖାନାକୁ ଏକ ଖାଲି ମାଲବାହୀ ଟ୍ରେନ୍ ଯାଉଥିଲା। ତେବେ କେଉଟଗୁଡା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା।
ଦୁଇଟି ବଗିର ୮ଟି ଚକ ରେଳ ଧାରଣାରୁ ତଳକୁ ଖସି ପଡ଼ିଥିଲା। ଏହା ସିଙ୍ଗଲ ଲାଇନ ହୋଇଥିବା କାରଣରୁ କୋରାପୁଟ – ରାୟଗଡ଼ା ରେଳପଥରେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଫଳରେ ବିଭିନ୍ନ ଷ୍ଟେସନ ଠାରେ ଟ୍ରେନ ଗୁଡ଼ିକ ଅଟକି ରହିଥିଲା। ମୁଖ୍ୟତଃ ଯାତ୍ରୀବାହୀ ରେଳ ଗୁଡ଼ିକ ଅଟକି ରହିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାତି ପ୍ରାୟ ସାଢେ ଗୋଟାଏ ବେଳେ ଟ୍ରେନ୍ ଲାଇନ୍ ମରାମତି ପରେ ସେହି ରୁଟରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି ।