ମୃତ୍ୟୁ ସସ୍ପେନ୍ସ, ରୁଷ୍ରୁ ରାୟଗଡ଼ା ; ରହସ୍ୟ ଘରରେ ଦୁଇ ପର୍ଯ୍ୟଟକଙ୍କ ବିୟୋଗ…
27/12/2022 at 1:24 PM

ରାୟଗଡ଼ା ୨୭।୧୨: ରହସ୍ୟ ଘରରେ ରୁଷ୍ ପର୍ଯ୍ୟଟଙ୍କ ମୃତ୍ୟୁ । ରାୟଗଡ଼ା ସହରର ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ଦୁଇ ଜଣ ରୁଷିଆ ପର୍ଯ୍ୟଟଙ୍କ ମୃତ୍ୟୁ । ବର୍ତ୍ତମାନ ଯାଏଁ ମୃତ୍ୟୁ ନେଇ କୌଣସି ଠୋସ୍ ତଥ୍ୟ ପୋଲିସ ହାତରେ ଲାଗିନାହିଁ । ଯାହାକୁ ନେଇ ଅନେକ ଆଶଙ୍କା ସୃଷ୍ଟି କରିଛି ।
ଖବର ଅନୁଯାୟୀ, ଗତ ୨୨ ତାରିଖ ଦିନ ଭ୍ଲାଦିମର ବିଦାନୋଭ ଓ ୨୪ ତାରିଖ ଦିନ ଆଣ୍ଟୋଭ ପାଭେଲ୍ଙ୍କର ମୃତ୍ୟୁ ହୋଇଥିଲା । ପାଭେଲ୍ ରୁଷିଆ ଜଣେ ପୂର୍ବତନ ସାଂସଦ ଜଣାପଡିଛି । ତେବେ ପାଭେଲ୍ଙ୍କ ସହିତ ଆସିଥିବା ଆଉ ଦୁଇ ଜଣ ପର୍ଯ୍ୟଟକ ତୁରୋଭ ମିଖାଇଲ ଓ ପାନାସେଙ୍କା ନତାଲିଆ ଏବେ ଭୁବନେଶ୍ୱର ଫେରି ଆସିଛନ୍ତି । ପୋଲିସ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରାୟଗଡ଼ା ପାରି କରାଇଛି । ଏପିରିକି ତାଙ୍କ ଗାଇଡ୍ ଜିତେନ୍ଦ୍ର ସିଂହଙ୍କ ପାଟି ମଧ୍ୟ ବନ୍ଦ କରିଦିଆଯାଇଛି । ଆଉ ଏପଟେ ପୋଲିସ କିଛି ମତାମତ ଦେଇନାହିଁ । ଯାହାକୁ ନେଇ ରହସ୍ୟ ବଢିବାରେ ଲାଗିଛି । ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଛି ପୋଲିସ ।
ସେପଟେ ହୋଟେଲ ମ୍ୟାନେଜରଙ୍କ କହିବା ଅନୁସାରେ, ହୋଟେଲରେ ଦୁଇ ମୃତକଙ୍କୁ ଅନ୍ୟ କେହି ଭେଟିନଥିଲେ । ସେମାନଙ୍କ ଭାଷା ମଧ୍ୟ ଆମେ କହି ଜାଣିନୁ । ଏପଟେ ତୁରୋଭା ମିଖାଇଲ୍ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠିଛି । ରୁଷ୍ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା କିପରି । ଏହା ପଛରେ କଣ ରହିଛି ରହସ୍ୟ ? ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।