ନୂଆଦିଲ୍ଲୀ: ମୋଦୀ ମନ୍ତ୍ରିମଣ୍ଡଳରେ ଏଥର ଅନେକ ନୂଆ ଚେହେରା ଦେଖିବାକୁ ମିଳିବ। ଏଥିରେ ରବନୀତ ବିଟ୍ଟୁଙ୍କ ନାଁ ମଧ୍ୟ ରହିଛି। ଶପଥ ଗ୍ରହଣ ପୂର୍ବରୁ ସବୁ ସମ୍ଭାବିତ ମନ୍ତ୍ରୀଙ୍କୁ ଫୋନ୍ କରାଯାଇଛି ଏବଂ ପ୍ରଧାନମନ୍ତ୍ରୀ ଆବାସରେ ପହଞ୍ଚିବାକୁ ଆମନ୍ତ୍ରିତ କରାଯାଇଛି। ଆଉ ଏହି ନିମନ୍ତ୍ରଣ ପାଇ ରବନୀତ ବିଟ୍ଟୁ ପ୍ରଧାନମନ୍ତ୍ରୀ ଆବାସକୁ ବାହାରିଥିଲେ। ହେଲେ ଟ୍ରାଫିକ୍ରେ ଫସିଯାଇଥିଲେ ବିଟ୍ଟୁ। ଏହା ପରେ ଆଉ କ’ଣ ?... ଗାଡ଼ି ଛାଡ଼ିଦେଇଥିଲେ ପିଏମ ଆବାସକୁ ଦୌଡ଼ି ଦୌଡ଼ି ଯାଇଥିଲେ ସେ। ଆଉ ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ସୂଚନାଥାଉକି, ରବନୀତ ସିଂହ ବିଟ୍ଟୁ ତିନି ଥରର ସାଂସଦ ରହିଆସିଛନ୍ତି। ଅବଶ୍ୟ ଏଥର ତାଙ୍କୁ ଲୁଧିଆନା ସିଟ୍ରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ରବନୀତ କଂଗ୍ରେସ ଟିକେଟରେ ଆନନ୍ଦପୁର ସାହିବରୁ ଏବଂ ଦୁଇ ଥର ଲୁଧିଆନାରୁ ସାଂସଦ ରହିଥିଲେ। ଏଥର ଲୁଧିଆନା ସିଟ୍ରେ କଂଗ୍ରେସ ଅମରିନ୍ଦର ରାଜା ଓ୍ବଡିଂଙ୍କୁ ୨୦ ହଜାରରୁ ଅଧିକ ସିଟ୍ରେ ବିଜୟୀ ହୋଇଛନ୍ତି।
ରବନୀତ ସିଂହ ବିଟ୍ଟୁଙ୍କ ଗଣତି କଂଗ୍ରେସର ବଡ଼ ନେତାଙ୍କ ମଧ୍ୟରେ ହେଉଥିଲା । ତାଙ୍କୁ ରାହୁଲ ଗାନ୍ଧୀଙ୍କ ପାଖ ଲୋକ ଭାବରେ ମଧ୍ୟ ଜଣାଯାଉଥିଲା। ଅବଶ୍ୟ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ିଦେଇଥିଲେ। ସେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ପୁତୁରା। ମାର୍ଚ୍ଚ ୨୦୨୧ରେ ସେ ଲୋକସଭାରେ କଂଗ୍ରେସର ନେତା ମଧ୍ୟ ରହିସାରିଛନ୍ତି।
ଏହା ପରେ ମୋଦୀ ମନ୍ତ୍ରିମଣ୍ଡଳରେ ସହଯୋଗୀ ପାର୍ଟୀଙ୍କ ସହ ବିଜେପିରେ ମଧ୍ୟ ଅନେକ ନୂଆ ଚେହେରା ସାମିଲ୍ ହୋଇପାରନ୍ତି। ନୂଆ ନାଁରେ ହର୍ଷ ମଲ୍ହୋତ୍ରା, ଶିବରାଜ ସିଂହ ଚୌହାଣ, ମନୋହରଲାଲ ଖଟ୍ଟର, ଏଚଡି କୁମାରସ୍ବାମୀ ସାମିଲ ହୋଇପାରନ୍ତି। ଏହା ବ୍ୟତୀତ ଜେଡିୟରୁ ରାମନାଥ ଠାକୁର ଏବଂ ଲଲନ ସିଂହଙ୍କ ନାଁ ଆଗରେ ରହିଛି। ଏହା ବ୍ୟତୀତ ଜୀତନରାମ ମାଞ୍ଝୀ, ଚିରାଗ ପାସଓ୍ବାନ, ଜୟନ୍ତ ଚୌଧୁରୀ, ବିଏଲ ଶର୍ମା, ରକ୍ଷା ଖଡସେ, ଅନୁପ୍ରିୟା ପଟେଲଙ୍କ ସମେତ ୩୦ ମନ୍ତ୍ରୀ ଶପଥ ନେଇପାରିବେ।