ପାଞ୍ଚ ଶିକାର ପରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଲେ ଜାଡେଜା, ଏମିତି କରିବାରେ ପ୍ରଥମ ଭାରତୀୟ

Published By : Prameya-News7 Bureau | February 10, 2023 IST

ନାଗପୁର: ଭାରତର  ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଇନିଂସରେ କେବଳ ବୋଲିଂରେ ନୁହେଁ ବ୍ୟାଟିଂରେ ମଧ୍ୟ କମାଲ କରିଛନ୍ତି ଏହି ତାରକା ଅଲରାଉଣ୍ଡର। ସପ୍ତମ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଜାଡେଜା ୧୧୪ ବଲ୍‌ରୁ ୭ ଚୌକା ସହ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଟେଷ୍ଟରେ ଏହା ତାଙ୍କର ୧୮ତମ ଅର୍ଦ୍ଧଶତକ। ଅର୍ଦ୍ଧଶତକ ସହ ସେ ଏକ  ବଡ ଉପଲବ୍ଧି ହାସଲ କରିଛନ୍ତି।

ଜାଡେଜା ଗୋଟିଏ ଟେଷ୍ଟ ଇନିଂସରେ ସର୍ବାଧିକ ଥର ପାଞ୍ଚ ଓ୍ଵିକେଟ୍ ନେବା ଏବଂ ଅର୍ଦ୍ଧଶତକ ମାରିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି। ସେ ନିଜ କ୍ୟାରିୟରରେ ଏମିତି ପାଞ୍ଚ ଥର ସଫଳତା ପାଇଛନ୍ତି। ଏଥିସହ ଜାଡେଜା ପୂର୍ବତନ ଭାରତୀୟ ଅଧିନାୟକ କପିଲ୍ ଦେବଙ୍କୁ ପଛରେ ପକାଇଛନ୍ତି। କପିଲ୍ ଦେବ ଟେଷ୍ଟରେ ଚାରି ଥର ଗୋଟିଏ ଇନିଂସରେ ଅର୍ଦ୍ଧଶତକ ଏବଂ ପାଞ୍ଚ ଓ୍ଵିକେଟ୍ ହାସଲ କରିଥିଲେ। ଜାଡେଜା ଏବଂ କପିଲ୍‌ଙ୍କ ପରେ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ରବିଚନ୍ଦ୍ରନ ଅଶ୍ଵିନ। ସେ ଗୋଟିଏ ଇନିଂସରେ ତିନି ଥର ପାଞ୍ଚ ଓ୍ଵିକେଟ୍ ଏବଂ ୫୦ ରନ କରିଛନ୍ତି।

ଏହା ବ୍ୟତୀତ ଜାଡେଜା ଗୋଟିଏ ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ଥର ୫୦ରୁ ଉର୍ଦ୍ଧ୍ଵ ରନ ଏବଂ ୫ ଓ୍ଵିକେଟ୍ ନେବାରେ ଅଶ୍ଵିନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଉଭୟ ଟେଷ୍ଟ କ୍ୟାରିୟରରେ ଏମିତି କାରନାମା ୬ ଥର ଲେଖାଏଁ କରି ସାରିଲେଣି। ଦୁହିଁଙ୍କ ପରେ ରହିଛି କପିଲ୍ ଦେବଙ୍କ ନାମ। ସେ ଚାରି ଏହି ସଫଳତା ହାସଲ କରିଛନ୍ତି।

ଜାଡେଜା ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ପାଞ୍ଚ ଓ୍ଵିକେଟ୍ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସେ ମାର୍ନସ ଲାବୁସେନ(୪୯)ଙ୍କୁ ନିଜର ପ୍ରଥମ ଶିକାର କରିଥିଲେ। ଏହା ପରେ ମାଟ୍ ରେନଶ(୦), ଷ୍ଟିଭ୍ ସ୍ମିଥ(୩୭), ପିଟର ହ୍ୟାଣ୍ଡସ୍କମ୍ବ(୩୧) ଏବଂ ଟଡ୍ ମର୍କି(୦)ଙ୍କୁ ନିଜ ଜାଲରେ ଫସାଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.