ବ୍ୟାଟ୍ ଓ ବଲ୍ରେ କମାଲ୍; ଟିମ୍ ଇଣ୍ଡିଆର ସଂକଟ ମୋଚକ ରବିଚନ୍ଦ୍ରନ୍ ଅଶ୍ବିନି
26/12/2022 at 1:12 PM

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ସଂକଟ ମୋଚକ ରବିଚନ୍ଦ୍ରନ୍ ଅଶ୍ବିନି । ବ୍ଯାଟ୍ ହେଉକି ବଲ୍ ଦମଦାର ପ୍ରଦର୍ଶନ ଦେଖାଉଛନ୍ତି ଏହି ଅଲରାଉଣ୍ଡର । ବାଂଲାଦେଶରେ ମ୍ୟାଚ୍ ଓ୍ବିନିଂ ପାଳି ଖେଳି ପୁଣି ଥରେ ଭାରତୀୟ ଦଳକୁ ସଂକଟରୁ ଉଦ୍ଧାର କରିଛନ୍ତି । ମୀରପୁର୍ ଟେଷ୍ଟରେ ଶ୍ରେୟସ ଆୟାରଙ୍କ ସହିତ ମିଶି ଜଟିଳ ପରିସ୍ଥିତିରେ ମ୍ୟାଚ୍ ଜିତାଇଛନ୍ତି । ଚତୁର୍ଥ ଦିନରେ ୪୨ ରନର ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ବିଜୟ ସହିତ ସିରିଜ୍ ସିଲ୍ କରିଥିଲେ ।
ଟିମ୍ ଇଣ୍ଡିଆ ମୀରପୁର ଟେଷ୍ଟରେ ବାଂଲାଦେଶକୁ ତିନି ଓ୍ବିକେଟରେ ପରାସ୍ତ କରିଛି । ୨-୦ରେ ସିରିଜ କ୍ଲିନ୍ ସୁଇପ୍ କରିଛି ଭାରତୀୟ ଦଳ। ଦ୍ବିତୀୟ ଟେଷ୍ଟର ଚତୁର୍ଥ ଦିନରେ ମାତ୍ର ୭୪ ରନରେ ଟିମ୍ ଇଣ୍ଡିଆର ୭ ଓ୍ବିକେଟ୍ ଯାଇଥିଲେ । ଆଉ ଏହି ଜଟିଳ ସମୟରେ ଶ୍ରେୟସ ଆୟରଙ୍କ ସହିତ ପାଳି ସମ୍ଭାଳିଥିଲେ ରବିଚନ୍ଦ୍ରନ ଅଶ୍ବିନି । ପ୍ରଥମ ଓ ଦ୍ବିତୀୟ ଇନିଂସରେ ଦମଦାର ବୋଲିଂ ପ୍ରଦର୍ଶନ କରିଥିବା ଏହି ସ୍ପିନର ବ୍ୟାଟ୍ ମଧ୍ଯ ଜାଦୁ ଦେଖାଇଥିଲେ । ଜଟିଳ ପରିସ୍ଥିତିରେ ସଂକଟମୋଚକ ହୋଇ ୬୬ଟି ବଲରୁ ୪୨ରନ ସଂଗ୍ରହ କରି ମ୍ୟାଚ୍ ଜିତାଇଥିଲେ । ଏଥିରେ ୪ଟି ଚୌକା ଓ ୨ଟି ଛକା ସାମିଲ ରହିଛି । ସେହିପରି ଶ୍ରେୟସ ଆୟର ମଧ୍ୟ ୪୬ବଲରୁ ୨୯ରନ୍ ପାଳି ଖେଳିଥିଲେ । ରବିଚନ୍ଦ୍ରନ୍ ଅଶ୍ବିନି ଦ୍ବିତୀୟ ଟେଷ୍ଟର ୨ଟି ଇନିଂସରୁ ୭ଟି ଓ୍ବିକେଟ୍ ନେବା ସହିତ ୪୨ ରନ୍ କରି ମ୍ୟାନ୍ ଅଫ ଦି ପ୍ଲେୟାର ହୋଇଛନ୍ତି ।
କେବଳ ଏହି ଗୋଟିଏ ମ୍ୟାଚ୍ ନୁହେଁ ଏହା ପୂର୍ବରୁ ଅନେକ ମ୍ୟାଚରେ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ସଂକଟମୋଚକ ହୋଇ ଉଭା ହୋଇଛନ୍ତି ରବି ଅଶ୍ବିନି । ବଲ୍ ସହିତ ବ୍ୟାଟରେ ମଧ୍ୟ ଧମାଲ କରି ବିରୋଧଙ୍କ ଟିମ୍ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଟି-୨୦ ବିଶ୍ବକପରେ ପାକିସ୍ତାନ ବିରୋଧରେ ଶେଷ ବଲରେ ଚୌକା ମାରି ଦଳ ବିଜୟ ଦେଇଥିଲେ । ସେହିପରି ଅଷ୍ଟ୍ରେଲିଆ ବିରୋଧରେ ସିଡନୀରେ ଟେଷ୍ଟକୁ କ୍ରିକେଟ୍ ପ୍ରେମୀ ଭୂଲି ପାରିବେ ନାହିଁ । ସିଡନୀ ଟେଷ୍ଟର ଶେଷ ଦିନରେ ହନୁମା ବିହାରୀଙ୍କ ସହିତ ମିଶି ୨୫୯ ବଲରେ ୬୨ରନର ସୁନ୍ଦର ସହଯୋଗୀ ଇନିଂସ ଖେଳି ଭାରତୀୟ ଦଳ ଜଟିଳ ପରିସ୍ଥିତିରୁ ଉଦ୍ଧାର କରିଥିଲେ । ଆହତ ସତ୍ତ୍ବେ ଅଶ୍ବିନି ୧୨୮ଟି ବଲରୁ ୩୯ ରନର ପାଳି ଖେଳିଥିଲେ । ଏହି ମ୍ୟାଚକୁ ଡ୍ର’ କରିବାରେ ସଫଳ ହୋଇଥିଲା ଭାରତୀୟ ଦଳ। ପରେ ଗାବ୍ବାରେ କଙ୍ଗାରୁଙ୍କୁ ହରାଇ ସିରିଜ୍ କବଜା କରିଥିଲେ । ବାଂଲାଦେଶ ବିରୋଧରେ ମଧ୍ୟ କିଛି ଏହି ଭଳି ଚତ୍ମକାର ପାଳି ଖେଳି ଭାରତକୁ ସିରିଜ ବିଜୟୀ କରିଛନ୍ତି ।
୨୦୧୧ରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟରେ କ୍ୟାରିୟର ଆରମ୍ଭ କରିଥିଲେ ରବି ଚନ୍ଦ୍ରନ୍ ଅଶ୍ବିନି । ମୋଟ୍ ୮୮ଟି ମ୍ୟାଚରୁ ୨୭ ପ୍ରତିଶତ ହାରରେ ୩୦୪୩ କରିଛନ୍ତି । ଏଥିରେ ୫ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ରହିଛି । ସେହିପରି ୨୪.୩୦ ହାରରେ ୪୪୯ଟି ଓ୍ବିକେଟ୍ ନେଇଛନ୍ତି ରବି ଚନ୍ଦ୍ରନ୍ ଅଶ୍ବିନି ।