ଅଡି କାର୍‌ ଦେଖାଇ ସ୍ଲେଜିଂ କରୁଥିଲେ ପାକ୍ କ୍ରିକେଟର ମିଆଁଦାଦ : ୧୯୮୫ ବିଶ୍ୱ ଚାମ୍ପିଅନସିପର ପୁରୁଣା ଘଟଣା ମନେ ପକାଇଲେ ଶାସ୍ତ୍ରୀ

Published By : Prameya-News7 Bureau | June 05, 2022 IST

ନୂଆଦିଲ୍ଲୀ ୦୫/୦୬:  ୧୯୮୩ରେ ବିଶ୍ୱ ବିଜେତା ହୋଇଥିଲା ଭାରତୀୟ ଟିମ୍ । ଏହାପରେ ୧୯୮୫ରେ ବିଭିନ୍ନ ସିରିଜରେ ଦଳ ଦମଦାର ପ୍ରଦର୍ଶନ କରିଥିଲା ।ଦଳର ଷ୍ଟାର୍ ବ୍ୟାଟର ରବି ଶାସ୍ତ୍ରୀ ଭଲ ଫର୍ମରେ ଥିଲେ । ସେ ବିଶ୍ୱ ଚାମ୍ପିଅନସିପରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ଏବଂ ଭାରତର ବିଜୟରେ ତାଙ୍କର ବଡ ଭୂମିକା ରହିଥିଲା । ତେବେ ଏହି ସିରିଜ ସହ ଜଡିତ ଏକ ପୁରୁଣା ଘଟଣା ଉପରୁ ଶାସ୍ତ୍ରୀ ପରଦା ହଟାଇଛନ୍ତି । କିପରି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ପାକିସ୍ତାନୀ କ୍ରିକେଟର ଜାଭେଦ ମିଆଁଦାଦ ତାଙ୍କ ଧ୍ୟାନ ଭଟକାଇବା ସହ ସ୍ଲେଜିଂ କରିଥିଲେ ଓ ତାଙ୍କର ଜବାବ କଣ ଥିଲା, ସେନେଇ ଶାସ୍ତ୍ରୀ ଗୁମର ଫିଟାଇଛନ୍ତି ।

ଭାରତ ଏହି ମୁକାବିଲାରେ ପାକିସ୍ତାନକୁ ୮ ଓ୍ୱିକେଟରେ ପରାସ୍ତ କରିଥିଲା । ଏଥିରେ ଶାସ୍ତ୍ରୀ ୬୩ ରନ୍ କରିଥିଲେ । ଏକ କାର୍ଯ୍ୟକ୍ରମରେ ପୁରୁଣା ମ୍ୟାଚ କଥା ମନେ ପକାଇ ସେ କହିଛନ୍ତି ଯେ, ଫାଇନାଲ ମ୍ୟାଚରେ ଜାଭେଦ ମିଆଁଦାଦ ଲଗାତର ଭାବେ ତାଙ୍କୁ ସ୍ଲେଜିଂ କରୁଥିଲେ । ବାରମ୍ବାର କାହିଁକି ସିଆଡେ ଦେଖୁଛ ବୋଲି ଜାଭେଦ ଶାସ୍ତ୍ରୀଙ୍କୁ କହିଥିଲେ । ଏହା ସହ ପାଖରେ ଥିବା ଅଡିକୁ କାହିଁକି ଦେଖୁଛ ବୋଲି ପଚାରିଥିଲେ । ଏହାପରେ ଶାସ୍ତ୍ରୀ ନିଜେ ଅଡିକୁ ଅନାଇବା ସହ ଏହା ତାଙ୍କ ଆଡେ ଆସୁଛି ବୋଲି କହିଥିଲେ ।

ଏହି ମୁକାବିଲାରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହେଲା ପରେ ଶାସ୍ତ୍ରୀଙ୍କୁ ଅଡି କାର୍ ମିଳିଥିଲା । ସେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପୁରା ଟିମକୁ ବସାଇ କାରରେ ବୁଲାଇଥିଲେ ।

ସୂଚନାଯୋଗ୍ୟ, ଶାସ୍ତ୍ରୀ କ୍ରିକେଟରୁ ସନ୍ୟାସ ନେଲା ପରେ ଭାରତୀୟ ଦଳର କୋଚ୍ ହୋଇଥିଲେ । ତାଙ୍କ ସମୟରେ ଦଳ ୨୫ଟି ଟେଷ୍ଟ୍, ୫୧ ଦିନିକିଆ ଓ ୪୩ ଟି୨୦ରେ ମ୍ୟାଚ୍ ଜିତିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.