ଅମିତ ଶାହଙ୍କୁ ମହାରାଷ୍ଟ୍ରର ଶତ୍ରୁ କହିଲେ ସଞ୍ଜୟ, ଜବାବରେ ମୋଦୀଙ୍କୁ ପ୍ରଶଂସା କରିଥିବା ତାଙ୍କର ଏକ ପୁରୁଣା ଭିଡିଓ ଟ୍ୱିଟ୍ କଲା ବିଜେପି
22/02/2023 at 7:31 PM

ମୁମ୍ବାଇ: ଉଦ୍ଧବ ବାଲାସାହେବ ଠାକ୍ରେ ଦଳର ନେତା ସଞ୍ଜୟ ରାଉତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି। ଶାହ ମହାରାଷ୍ଟ୍ରର ଶତ୍ରୁ ବୋଲି କହିଛନ୍ତି ସଞ୍ଜୟ। ଏହାପରେ ବିଜେପି ମଧ୍ୟ ପାଲଟା ଜବାବ ଦେଇ ସଞ୍ଜୟଙ୍କ ଏକ ପୁରୁଣା ଭିଡିଓ ଟ୍ୱିଟ୍ କରିଛି। ଯେଉଁଥିରେ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ବିଜେପି ନେତା ରାମ କଦମ ଏହି ଭିଡିଓକୁ ଟ୍ୱିଟ୍ କରି ଲେଖିଛନ୍ତି, ରାଉତଙ୍କର ଦୋମୁହାଁ ନୀତିର ପବ୍ଲିକ୍ ଖୁବ୍ଶୀଘ୍ର ଉତ୍ତର ଦେବେ।
ନିର୍ବାଚନ କମିଶନ ଶିବସେନା ଦଳର ନାଁ ଓ ନିର୍ବାଚନୀ ଚିହ୍ନକୁ ଏକନାଥ ସିନ୍ଦେଙ୍କୁ ଦେବା ପରେ ବିଜେପି ଓ ଉଦ୍ଧବଙ୍କ ଟିମ୍ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି। ମହାରାଷ୍ଟ୍ରରେ ରାଜନୀତିରେ ସୃଷ୍ଟି ହୋଇଥିବା ଫାଟ ପାଇଁ ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ କେନ୍ଦ୍ର ସରକାର ଦାୟୀ ବୋଲି ସେ କହିଛନ୍ତି।
आता जनताच ठरवेल …
— Ram Kadam (@ramkadam) February 22, 2023
लबाड डबल ढोल सेना … ? https://t.co/EChOWjzHYT pic.twitter.com/qqwo4dR8vh
ଅନ୍ୟପଟେ ବିଜେପି ରାଉତଙ୍କୁ ଟାର୍ଗେଟ୍ କରି କହିଛି ରାଉତ ସବୁବେଳେ ଦୋମୁହାଁ ନୀତି ଆପଣାନ୍ତି। ଖୁବ୍ଶୀଘ୍ର ଲୋକେ ତାଙ୍କ ଚେହେରାକୁ ସାମ୍ନାକୁ ଆଣିବେ।
ଇତିମଧ୍ୟରେ ସଞ୍ଜୟ ରାଉତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କୁ ଜୀବନ ପ୍ରତି ବିପଦ ଥିବା ନେଇ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତାଙ୍କୁ ହତ୍ୟା କରିବା ପାଇଁ କିଛି ସୁପାରୀ କିଲରଙ୍କୁ ସୁପାରୀ ଦେଇଛନ୍ତି ବୋଲି ସଞ୍ଜୟ ରାଉତ ଅବିଯୋଗ କରିଛନ୍ତି। ଏଣୁ ତାଙ୍କୁ ସୁରକ୍ଷା ଦିଆଯାଉ ବୋଲି ସଞ୍ଜୟ ଫଡନାଭିସ୍ଙ୍କୁ ଚିଠି ଲେଖି ଜଣାଇଛନ୍ତି।
ଅନ୍ୟପଟେ ସିନ୍ଦେଙ୍କ ପକ୍ଷ ଏଭଳି ଅଭିଯୋଗକୁ ଭିତ୍ତିହୀନ ଓ ବେକାର ବୋଲି କହିଛନ୍ତି। ଏନେଇ ସିନ୍ଦେ ପକ୍ଷ କହିଛି ଯେ ଯଦି ସଞ୍ଜୟ ଜୀବନ ପ୍ରତି ବିପଦ ଅନୁଭବ କରୁଛନ୍ତି ତେବେ ସେ ପୁଲିସରେ ମାମଲା କରିବା ଉଚିତ୍।