ପୁରୀ ୦୬।୦୭ : ଶନିବାର ବସିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ। ପୂର୍ବାହ୍ନ ୧୧ଟା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭା କକ୍ଷରେ ଏହି ବୈଠକ ବସିବ ।
ଶୁକ୍ରବାର ରାଜ୍ୟ ସରକାର ଜଷ୍ଟିସ୍ ଅରଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ପୁରୁଣା କମିଟିକୁ ରଦ୍ଦ କରି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ୧୬ ଜଣିଆ ନୂଆ କମିଟି ଗଠନ କରିଥିଲେ । ଏହି କମିଟି ରତ୍ନଭଣ୍ଡାର ମରାମତି, ରତ୍ନ ଗଣତିମଣତି ନେଇ ବ୍ୟବସ୍ଥା ଓ ରୂପରେଖ ପ୍ରସ୍ତୁତ କରିବ ।
ଗଣମାଧ୍ୟମକୁ ଜଷ୍ଟିସ୍ ରଥ କହିଛନ୍ତି, ୪୬ ବର୍ଷ ପରେ ଏହି ଗଣତିମଣତି ହେଉଥିବାରୁ ବୈଠକରେ ବିସ୍ତୃତ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ହେବ। ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ୨୪ ବର୍ଷ ଧରି ପୁରୁଣା ସରକାର ଯାହା କରିପାରିନଥିଲେ ୨୪ ଦିନର ସରକାର ତାହା କରି ଦେଖାଇଛନ୍ତି ।
ଶନିବାର ବୈଠକରେ ରତ୍ନଭଣ୍ଡାର ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ । ରତ୍ନଭଣ୍ଡାର ରତ୍ନ ଗଣତିମଣତି କମିଟି କରିବା ସହ ମରାମତି କାମ ଏଏସ୍ଆଇ କରିବ । କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର କହିଛନ୍ତି, ମାଲିକ ଘରେ ନଥିବା ବେଳେ ମହାପ୍ରଭୁଙ୍କ ଅଳଙ୍କାର ଗଣତି କରାନଯାଉ। ଠାକୁର ଆସିବା ପରେ ତାଙ୍କ ଆଜ୍ଞା ଓ ଗଜପତିଙ୍କ ଅନୁମତି ନେଇ ଗଣତିମଣତି କରାଯାଉ ।