ପୁରୀ ୦୭/୦୭: ଜନସମୁଦ୍ର ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଅନ୍ତ । ତିନି ରଥ ପ୍ରତିଷ୍ଠା ପରେ ବଡ଼ଦେଉଳରୁ ସହଳ ବାହାରିଲେ ଶ୍ରୀଜିଉ । ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପରେ ବଡଠାକୁର ଓ ଭଉଣୀ ସୁଭଦ୍ରାଙ୍କୁ ଧରି କାଳିଆ ସାଆନ୍ତ ଧାଡି ପହଣ୍ଡିରେ ସିଂହଦ୍ବାର ଦେଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି । ଶରଧାବାଲିରେ ଏକାକାର ହେବେ ଭକ୍ତ ଓ ଭଗବାନ । ବଡ଼ଠାକୁର ବଳଭଦ୍ର ତାଳଧ୍ବଜ, ଦେବୀ ସୁଭଦ୍ରା ଦର୍ପଦଳନ ଏବଂ ମହାବାହୁ କାଳିଆ ସାଆନ୍ତ ନନ୍ଦିଘୋଷ ରଥରେ ବିରାଜ ମାନ ହେବେ ।
ବାଜୁଛି କାହାଳୀ, ଶୁଭୁଛି ଶଙ୍ଖ ଧ୍ବନି । ଜୟ ଜଗନ୍ନାଥ ଓ ହରିବୋଲ ଶବ୍ଦରେ ଫାଟି ପଡୁଛି ଶ୍ରୀକ୍ଷେତ୍ର। ଶ୍ରୀ ସୁଦର୍ଶନଙ୍କୁ ସେବାୟତ ମାନେ ପହଣ୍ଡି ବିଜେ କରି ଦର୍ପଦଳନ ରଥରେ ବିଜେ କରିଛନ୍ତି । ଏହା ପରେ ପ୍ରଭୁ ବଡ଼ଠାକୁର ବଳଭଦ୍ରଙ୍କ ଆରମ୍ଭ ହୋଇଛି ପହଣ୍ଡି । ସାତ ପାହଚରେ ଟାହିଆ ଲାଗି ହୋଇଛି । ସେଠାରୁ ବଳିଆ ସାଆନ୍ତ ହରିବୋଲ ଓ ଘଣ୍ଟର ନାଦ ତାଳେ ତାଳେ ବାଇଶିପାହଚରୁ ଓହ୍ଳାଇଛନ୍ତି । ପଛରେ ରହିଛନ୍ତି କଳା ଠାକୁର ଶ୍ରୀ ଜଗନ୍ନାଥ ।
ଚଳିତ ଥର ଦୁଇ ଦିନ ରଥଯାତ୍ରା ପଡ଼ୁଛି । ନୀତି ନିର୍ଘଣ୍ଟ ଅନୁଯାୟୀ, ଦିନ ୧.୧୦ ମିନିଟ୍ରେ ଆରମ୍ଭ ହେବାର ଥିଲା । ମାତ୍ର ରଥ ପ୍ରତିଷ୍ଠା ପରେ ଶ୍ରୀଜିଉଙ୍କ ପହଣ୍ଡି ଶୀଘ୍ର ଆରମ୍ଭ ହୋଇଛି । ସେହିପରି ଅନ୍ୟ ନୀତି କାର୍ଯ୍ୟ ସହଳ ହେବ ବୋଲି ଆଶା କରାଯାଉଛି । ରଥାରୂଢ଼ ଠାକୁରଙ୍କୁ ଚିତାଲାଗି କରାଯିବା ପରେ ଅପରାହ୍ଣ ୪ଟାରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେବ । ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ଶେଷରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ