ରଥଖଳା ଅପ୍‌ଡେଟ୍‌ …ସରିଲା ୧୨ ତୁମ୍ବ ଗୋଲେଇ

Published By : Prameya-News7 Bureau | May 14, 2024 IST

ପୁରୀ ୧୪।୦୫: ଶ୍ରୀନହର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଭାଇପୁଅ(ବିଶ୍ୱକର୍ମାଙ୍କ ସହଯୋଗୀ) ମାନେ ପ୍ରଭୁଙ୍କ କାର୍ଯ୍ୟରେ ଯୋଗଦେବାରେ ନିର୍ମାଣରେ ଗତି ଧରିଛି । ସୋମବାର ସନ୍ଧ୍ୟା ସୁଦ୍ଧା ରଥତ୍ରୟର ୧୨ ଟି ତୁମ୍ବ ଗୋଲେଇ କରିଛନ୍ତି ବିଶ୍ୱକର୍ମା । ସେପଟେ ଶାଳରେ ଅର କଣ୍ଟା ପଡ଼ିଛି । ତିନି  ରଥର ୪ଟି ଲେଖା ତୁମ୍ବ ଗୋଲେଇ  କରି କଟା ଯାଇଥିବା କହିଛନ୍ତି ଶ୍ରୀମନ୍ଦିର  ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ । 

ସୋମବାର ୬୦ ଜଣ ରଥ  ନିର୍ମାଣରେ ଯୋଗ ଦେଇଛନ୍ତି । କରତି ସେବକ ଗଡ଼ କାଟିଲା ପରେ ଭୋଇସେବକ ତାହାକୁ ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ  ରଥ ଚାଳିକୁ ଯୋଗାଉଛନ୍ତି । ସୋମବାର ସୁଦ୍ଧା କରତି ସେବକ ୨୦ଟି  ତୁମ୍ବ କାଟିଛନ୍ତି । ରଥଖଳାରେ ବିଶ୍ୱକର୍ମାମାନେ ବାରିସିରେ ହାଣି   ତୁମ୍ବ ସାଇଜ୍‌ କରୁଛନ୍ତି ।  ନାହାକା ଓ ପଡ଼ି ନାହାକା ତୁମ୍ବ  ନିର୍ମାଣ କରାଯାଇଛି । ଦୋଳବେଦିସ୍ଥିତ ୩ଟି ଅସ୍ଥାୟୀ ଶାଳରେ  ଓଝା ସେବକମାନେ ଅର କଣ୍ଟା ତିଆରି କରୁଛନ୍ତି । ଲୁହା ରଡ଼ କାଟି   ଶାଳରେ ପକାଇ ଅର କଣ୍ଟା ତିଆରୁଛନ୍ତି । ଏହାପରେ ତୁମ୍ବରେ  ସୂତା ବାଡ଼ିଆ ହୋଇ ବିନ୍ଧ ହେବ । ସେଥିରେ ସିଙ୍ଗଡ଼ା ବାଡ଼ିଆ  ପଦ୍ଧତିରେ ଅର ଭୁଞ୍ଜାଯିବ । 

ସୋମବାର ରଥ ନିର୍ମାଣ କାର୍ଯ୍ୟରେ ୪  ଜଣ କରତି, ୩୦ ଜଣ ବିଶ୍ୱକର୍ମା, ୧୯ ଭୋଇ ସେବକ, ୬ ଓଝା  ସମେତ ଜଣେ ରଥଖଳା ସହାୟକଙ୍କୁ ମିଶାଇ ମୋଟ ୬୦ ଜଣ  ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

୪୨ ଚକ ପାଇଁ ୧୩୪୪ ଅର କଣ୍ଟା 

ଚକରେ ଲାଗିବ ୧୬  ଅର(ସ୍ପୋକ୍‌) । ଅର  ଓ ତୁମ୍ବକୁ ମିଶାଇ  ପିଟା ହେବ ୨ଟି କଣ୍ଟା ।  ଗୋଟିଏ ଚକ ପାଇଁ ୩୨  ଅର କଣ୍ଟା । ଏଣୁ ତିନି ରଥର ୪୨ଟି ଚକ ପାଇଁ  ମୋଟ୍‌ ୧୩୪୪ଗୋଟି  ଅର କଣ୍ଟା ପ୍ରସ୍ତୁତ  କରାଯାଉଛି । ୫ ଇଞ୍ଚ  ଲମ୍ବ ଓ ତିନି ସୁତ  ଗୋଲେଇ ମାପର ଅର କଣ୍ଟା । ଛୋଟ ଖଣ୍ଡ  ଲୁହା ଦଣ୍ଡକୁ ନିଆଁରେ  ପକାଇ ଚିମୁଟାରେ ଧରି  ଳୁହା ଧାରଣାରେ ଥୋଇ  ହାତୁଡ଼ିରେ ପିଟି ଭାଗ ମାପ କରି କଣ୍ଟା ପ୍ରସ୍ତୁତ ହେଉଛି ।  ଆକାରକୁ ନେଇ ଅର କଣ୍ଟାକୁ ଗୁଡ଼ିଆ ଛତି କଣ୍ଟା  ମଧ୍ୟ କୁହାଯାଏ । ଉପରିଭାଗ ୩ ପରସ୍ତ କରି ମୋଡ଼ି  ଦିଆଯାଏ । ଅପରପାଶ୍ୱର୍ ବର୍ଗାକାର ହୋଇ ନିମ୍ନକୁ  କ୍ରମଶଃ ମୁନିଆଁ । ଚକରେ ଅର କଣ୍ଟା ପିଟା ହେଲେ  ବୁଲି ନଯାଇ ମଜଭୁତ ରୁହେ ।

  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.