ଆଗେଇ ଚାଲିଛି ରଥ କାମ, ମୁହାଁଟି ଓ ଚଉତା ବିନ୍ଧ ଶେଷ

Published By : Prameya-News7 Bureau | June 01, 2022 IST

ପୁରୀ ୦୧।୦୬ : ମଙ୍ଗଳବାର ରଥ ଖଳାରେ ଗରଗରା କାର୍ଯ୍ୟ ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱାବଧାନରେ ତିନି ରଥ ପାଇଁ ୬ଗୋଟି ଗରଗରା କାଠ ରଖାଯାଇଥିଲା । ଏହାପରେ ବିଶ୍ୱକର୍ମାମାନେ ଧଉରା କାଠ ଗଣ୍ଡିକୁ ବାରିସୀରେ ହାଣି ଚଉପଟ  ଆରମ୍ଭ କରିଛନ୍ତି । ପ୍ରତି ରଥରେ ଦୁଇ ଗୋଟି ଗରଗରା ଲାଗିଥାଏ । ଗରଗରା ଉପରେ ରଥର ଉପର ଅଂଶର ସମ୍ପୂର୍ଣ୍ଣ ଭାରା ରହିବ । ପ୍ରାୟ ୧୩ ଫୁଟ୍‌ ଲମ୍ବର ଓଜନଦାର କାଠ ଗରଗରା । ଚକ ଓ ଅଖ ଗୁଡିକ ବିଶ୍ୱକର୍ମାମାନେ ମାଚୁପ କରି ରଥର ମୂଳଦୂଆ ପ୍ରସ୍ତୁତ କରିବେ । ଅଖ ଉପରେ ଦଣ୍ଡା ପଡିବ । ଦଣ୍ଡା ଉପରେ ଗରଗରା ରହିବ । ଗରଗରା ଉପରେ ଚାରି ନାହାକା ଉଠିବ । ଏବେ ଯାଏଁ ତିନି ରଥର କାର୍ଯ୍ୟ ସମାନ ଭାବେ ଆଗେଇଚାୱଲିଛି ।

{"id":636613,"sizeSlug":"full","linkDestination":"none"}

ସେହିପରି ଚଉତା କାଠରେ ବିନ୍ଧ ଓ ମୁହାଁଟି ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ପୂର୍ବରୁ ଚାରି ନାହାକା ନିର୍ମାଣ ସରିଥିଲା । ଏବେ ଉଭୟ ପାର୍ଶ୍ୱରେ ସାଲ ହୋଇଛି । ବିଶ୍ୱକର୍ମାମାନେ ଉପରେ ଓ ନିମ୍ମ ଅଂଶରେ ସାଲ କରିଛନ୍ତି । ଚାରିନାହାକା ନିମ୍ନ ସାଲ ଗରଗରାର ବିନ୍ଧରେ ଭୁଞ୍ଜଯିବ । ଉପର ସାଲରେ ରହିବ ଭୂଇଁ କାଠ ।

{"id":636619,"sizeSlug":"full","linkDestination":"none"}

ଅଖ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ଚକ ତିନୋଟି  ପାଇଁ ପହିକୁ ଅପେକ୍ଷା ରହିଛି । ପୋଲ ଗୟଳ ଚିରଟ ହୋଇ ଚଉପଟ ପାଇଁ ଅପେକ୍ଷା ରହିଛି । ଓରାରେ ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାର, କରତି, କମାର ନିଜ ନିଜ କାର୍ଯ୍ୟରେ ଲାଗିପଡିଛନ୍ତି ।

{"id":636614,"sizeSlug":"full","linkDestination":"none"}

ରଥ ଅମିନ ଯୋଗାଡିବାରେ ବ୍ୟସ୍ତ । ଭୋଇ ସେବକ ବିଶ୍ୱକର୍ମାଙ୍କ ପରାମର୍ଶ ଅନୁସାରେ କାଠ ଯୋଗାଉଛନ୍ତି । ରଥ ଖଳାରେ ସାଲଗୁଜରେ ରୂପ ଖୋଦେଇ ଶେଷ କରି ତୀଖ ଗୁଜରେ ରୂପକାର୍ଯ୍ୟ ଆରମ୍ଭ କରିଛନ୍ତି ରୂପକାର ସେବକ । ସିଂହବିରାଳ ମୂର୍ତ୍ତି ଖୋଦେଇ ଚାଲିଛି । ଦୋଳବେଦୀ ପରିସରରେ ମୁଖ୍ୟ କରତି ସେବକ ରଣଜିତ ମହାରଣାଙ୍କ ତତ୍ୱାବଧାନରେ ଚାଲିଛି ଗୟଳ କାମ ।

{"id":636615,"width":739,"height":1107,"sizeSlug":"full","linkDestination":"none"}

ଓଝା ସେବକମାନେ ଶାଳରେ ରଥ ପାଇଁ ଆବଶ୍ୟକ ଗୟଳ କଣ୍ଟା, ଛନ୍ଦା ଗୟଳ କଣ୍ଟା, ଗରଗରା କଣ୍ଟା ତିଆରି କରୁଛନ୍ତି । ମଙ୍ଗଳବାର ଦିନ ରଥ ନିର୍ମାଣ କାମରେ ୭୭ ଜଣ ବିଶ୍ୱକର୍ମା, ୭୭ଜଣ ଭୋଇ ସେବକ , ୧୮ ଜଣ ରୂପକାର , ଜଣେ ବିନ୍ଧ କାରଗର, ୨ଜଣ ପହି ମହାରଣା, ୧୬ ଜଣ କମାର ସେବକ, ୪ଜଣ କରତି ସେବକ, ଜଣେ ସହାୟକଙ୍କ ସମେତ ମୋଟ ୧୯୬ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

{"id":636617,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.