ଚଳଚଞ୍ଚଳ ରଥଖଳା ଓ ଦୋଳବେଦି ପରିସର : ନିର୍ମାଣ ସରିଲାଣି ତିନି ରଥର ୩୯ଟି ଚକ

Published By : Prameya-News7 Bureau | May 28, 2022 IST

ପୁରୀ ୨୮।୦୫: ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା ଓ ଦୋଳବେଦି ପରିସର । ସ୍ନାନ ପୂର୍ଣ୍ଣମୀ ସୁଦ୍ଧା ରଥରେ ଉଠିବ ଚାରି ନାହାକା । ରଥ ଖଳାରେ ଚାଲିଛି ଚାରି ନାହାକା ହଣା । ଏପଟେ ଆରମ୍ଭ ହୋଇଛି ପୋଲଗୟଳ କାମ । ଦୋଳବେଦି ପରିସରରେ କରତୀ ସେବକ ରଥର ପୋଲ ଗୟଳ କାଟୁଛନ୍ତି । ଗୟଳ ସ୍ଥାପନ ହେଲେ ରଥ ଉପରକୁ ଚାରି ନାହାକା ଉଠିବ । ମୁଖ୍ୟ କରତୀ ସେବକ ରଣଜିତ୍‌ କୁମାର ମହାରଣାଙ୍କ ତତ୍ତ୍ୱାବଧାନରେ ୪ଜଣ ସେବକ କାର୍ଯ୍ୟ ଜାରି ରଖିଛନ୍ତି ।

ଶୁକ୍ରବାର ଅପରାହ୍ନ ସୁଦ୍ଧା ୩୯ଟି ଚକ ତିଆରି ସରିଛି। ଏଣିକି ଦଣ୍ଡା ଅନୁକୂଳ ଓ ଭୂଇଁ କାଠରେ ବିନ୍ଧ ଅନୁକୂଳ ହେବ କହିଛନ୍ତି ଦେବୀ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଓ ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ।

ଦଣ୍ଡା ହେଉଛି ରଥର ମୂଳଦୁଆ । ଦଣ୍ଡା ହଣା ପାଇଁ କାଠ ପଡ଼ିଛି । ରଥଖଳାରେ ରଥର ଚକ ଓ ଖମ୍ବୀ ପ୍ରସ୍ତୁତ ହେଉଛି । ରଥର ଭୂଇଁ ନିର୍ମାଣରେ ଖମ୍ବୀ ଖଞ୍ଜା ହେବ । ଭୋଇ ସେବକମାନେ ଦଣ୍ଡା କାଠ ଯୋଗାଇ ଦେଇଛନ୍ତି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇସେବକମାନେ କାମ କରୁଛନ୍ତି । ଶୁକ୍ରବାର ସିଂହାସନ ଅପସର କାଠ ଯୋଗାଯାଇଛି । ନାହାକା ଅଖ ଡେରା ପରେ ବାକି ତାଳଧ୍ୱଜର ୬ଟି ଅଖ, ନନ୍ଦିଘୋଷର ୭ଟି ଓ ଦେବଦଳନର ୫ଟି ଅଖ ନିର୍ମାଣ ପାଇଁ କାଠ ପଡ଼ିଛି । ଆଠ କୋଣୀ ଚାରିନାହାକା ହଣା ଚାଲିଛି । ୪ଟି କାଠରୁ ୨ଟି ଚାରି ନାହାକା ହଣା ସରିଛି । ତିନି ରଥରେ ସମନ୍ୱୟ ରଖାଯାଇ ନିର୍ମାଣ କାର୍ଯ୍ୟ ଚାଲିଛି । ରୂପକାରମାନେ ଗୁଜରେ ରୂପକାର୍ଯ୍ୟ ସଂପୂର୍ଣ୍ଣ କରୁଛନ୍ତି । କମାର ସେବକମାନେ ଦଣ୍ଡା ବିଡ଼ିଆ କଣ୍ଟା, ଘଡ଼ିମୁହଁ କଣ୍ଟା ଆଦି ପ୍ରସ୍ତୁତ କରଛନ୍ତି ।

ତାଳଧ୍ୱଜ ରଥର ୧୪ଟିରୁ ୧୩ଟି ଚକ, ଦେବଦଳନ ରଥର ୧୨ଟିରୁ ୧୧ଟି ଓ ନନ୍ଦିଘୋଷ ରଥର ୧୬ଟିରୁ ୧୫ଟି ଚକ ସଂପୂର୍ଣ୍ଣ ହୋଇଛି । ତିନି ରଥର ନାହାକା ଅଖ ସହ ଚକ ସଂଯୁକ୍ତ ସରିଛି । ଶୁକ୍ରବାର ସୁଦ୍ଧା ୩୯ଟି ସିଙ୍ଗଡ଼ା ବାଡ଼ିଆ ସରିଛି । ରଥତ୍ରୟର ଶେଷ ଚକ ଏକା ସମୟରେ ପ୍ରସ୍ତୁତ ହେବାର ପରମ୍ପରା ରହିଛି । ଯନ୍ତାଗାଡ଼ରେ ତିନୋଟି ସିଙ୍ଗଡ଼ାବାଡ଼ିଆ ହେବା ଅବସରରେ ପଣା ଭୋଗ ଅର୍ପଣ କରାଯାଇ ନିର୍ମାଣକାରୀଙ୍କ ଭିତରେ ବଣ୍ଟା ଯିବ । ଚକ ଓ ଅଖ ଗୁଡିକ ବିଶ୍ୱକର୍ମାମାନେ ମାପଚୁପ କରି ରଥର ମୂଳଦୁଆ ପ୍ରସ୍ତୁତ କରିବେ । ଅଖ ଉପରେ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଗରଗରା ଉପରେ ଚାରି ନାହାକା ଉଠିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.