ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଦ୍ରୁତ ଗତିରେ ଚାଲିଛି ନିର୍ମାଣ କାମ

Published By : Prameya-News7 Bureau | June 10, 2024 IST

ପୁରୀ ୧୦।୦୬ : ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା। ତିନି ରଥର ନିର୍ମାଣ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି ସମସ୍ତ ନିର୍ମାଣ କାରୀ ସେବକ।

ତିନି ରଥର ସମସ୍ତ ଚକ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଚାରି ନାହାକା ନିର୍ମାଣ ପାଇଁ ରଥ ଚାଳିରେ ଭୋଇ ସେବକ ମାନେ ଚାରି ନାହାକା କାଠ ପକାଇଛନ୍ତି I ଚାରି ନାହାକା ନିର୍ମାଣ ପାଇଁ ରଥ ଅମିନ ଭୋଇ ସେବକଙ୍କ ସହାୟତାରେ ତିନି ରଥର ଚାଳିକୁ ପ୍ରଥମ ଦଫାରେ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଯୋଗାଇବା ପରେ ବିଶ୍ଵକର୍ମା ମାନେ ଏଥିରେ ଚାରି ନାହାକା ନିର୍ମାଣ କରୁଛନ୍ତି। ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଜାରି ରହିଛି। 

ସେହିପରି ତିନି ରଥର ତିନି ଭୂଇଁ ପାଇଁ ୧୨ ଗୋଟି ଲେଖାଏଁ ଚଉପଟ ଭୂଇଁ ଚଉତା କାଠରେ ପାଖୁଡ଼ା ବିନ୍ଧ କରୁଛନ୍ତି ସହଯୋଗୀ ମହାରଣା। ତିନି ରଥର ଗରଗରା କାଠର ଚଉପଟ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି I ପବିତ୍ର ଭଉଁରୀ ଅବସରରେ ତିନି ରଥର ଛଅଟି ଚକ ସହ ଅଖ ସଂଯୋଗ କରିଥିଲେ ଭୋଇ ସେବକ। ତେବେ ଶୀତଳଷଷ୍ଠୀ ପରଦିନ ବିଶ୍ଵକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକ ମାନେ ସମସ୍ତ ଚକ ସହ ଅଖ ସଂଯୋଗ କରିବେ। ଏହା ପରେ ଜୋରସୋରରେ ଚାଲିବ ତିନି ରଥର ଉପରି ଭାଗ କାର୍ଯ୍ୟ। 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.