ରଥଖଳା ହାଲ୍ଚାଲ୍ : ରବିବାର ଚନ୍ଦନ ଯାତ୍ରାର ଭଉଁରୀ ଉତ୍ସବ, ଯୁଦ୍ଧକାଳୀନ ଭିତିରେ ଚାଲିଛି ରଥ ନିର୍ମାଣ କାମ
20/05/2022 at 10:25 AM

ପୁରୀ ୨୦।୦୫: ରବିବାର ଚନ୍ଦନ ଯାତ୍ରାର ଭଉଁରୀ ଉତ୍ସବ । ଆଉ ମଝିରେ ରହିଲା ଆଉ ୨ଦିନ । ରଥ ନିର୍ମାଣରେ ବିଶେଷ ପର୍ବ ଚକ- ଅଖ ଡେରା । ଏଣୁ ଯୁଦ୍ଧକାଳୀନ ଭିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଗୁରୁବାର ଠାରୁ ପ୍ରସ୍ତୁତ ରହିଛି ନାହାକା ଚକ ଓ ଅଖ । ରଥ ତ୍ରୟ ପାଇଁ ତିନୋଟି ନାହାକା ଅଖ ଓ ୬ ଗୋଟି ଚକ ତିଆରି ସରିଛି । ଠାକୁରଙ୍କ ଆଜ୍ଞାମାଳ ଲାଗି ପୂର୍ବରୁ ଏହା ସଂଯୁକ୍ତ ହେବ । ରଥ ଖଳାରେ ବିଶ୍ୱକର୍ମାମାନେ ଯୋକା କାମ ଆରମ୍ଭ କରିଛନ୍ତି ।
ରଥ ଖଳା ଅପଡେଟ #Puri #RathaYatra #RathaJatra #ChariotConstruction #OdishaNews pic.twitter.com/NAsLWvlTYc
— Prameya News7 (@NEWS7Odia) May 20, 2022
ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୬ଟି ଯୋକା ଓ ଦେବୀ ରଥରେ ୧୨ଟି ଯୋକା ସ୍ଥାପନ ହେବ । ଏପଟେ ରଥ ଖଳାରେ ରଥ ଚକ ପ୍ରସ୍ତୁତ ହୋଇଛି । ବିଶ୍ୱକର୍ମାଙ୍କ ଇସାରାରେ ଭୋଇସେବକମାନେ ବିଲେଇ ବାଡିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି । ପହିର ବିନ୍ଧରେ କୀଳା ଦେଇ ଅର ସହିତ ଟାଇକ କରି ବାଡିଆ ହୋଇଥିଲା । ଯନ୍ତ୍ରାପଟାରେ ପଡି ସିଙ୍ଗଡ଼ାକୁ ପହି ପିନ୍ଧା ଗଲାପରେ ଖୁସିଅର ଲଗାଇଯାଇଛି । ପରେ କଳସା କରାଯାଇ ପହିକୁ ଖାପରେ ବାନ୍ଧେଣୀ କରି ଚକ ପ୍ରସ୍ତୁତ କରାଯାଇଛି । ଅଭିଜ୍ଞ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଚକ ତିଆରି କାମ ।
ସେହିପରି ରଥ ଚାଳିରେ ରଥର ଗୁଜ, କୁଡୁକା , ଜଳଯନ୍ତ୍ର ଆଦି କାମ ଚାଲିଛି । ରୂପକାରମାନେ ଗୁଜରେ ସିଂହ ବିରାଳ ଖୋଦେଇ କରୁଛନ୍ତି । ଜଳଯନ୍ତ୍ର ରଥରେ ସ୍ଥାପନ ହେଲେ ପାର୍ଶ୍ୱ ଦେବଦେବାମାନ ବିଜେ ହେବେ । ଗୁଜ ଖୁମ୍ଭ ସ୍ୱରୁପ ରଥର କୋଣମାନଙ୍କରେ ସ୍ଥାପିତ ହେବ । ତାଳଧ୍ୱଜ ଓ ନନ୍ଦିଘୋଷ ରଥ ୧୬ଟି ଲେଖାଏଁ ଓ ଦେବଦଳନ ରଥର ୧୨ଚି ଗୁଜ ରହିଛି । ଗୁଜ ହେଉଛି ରଥର ସୁରକ୍ଷା କବତ ସଦୃଶ । ଡ୍ରିଲ୍ ମେସିନ୍ ଦ୍ୱାରା ତୁମ୍ବର ମଝିରେ ଇନ୍ଧ୍ର କରାଯାଉଛି । ଓଝା ସେବକ ଯୋଗାଉଥିବା ବଳାକୁ ତୁମ୍ବର ବାହାର ପାଶ୍ୱରେ ଓ ପନ୍ଦାରିକୁ ତୁମ୍ବର ମଧ୍ୟସ୍ଥଳରେ ଲଗାଯାଇ ଚକ ପ୍ରସ୍ତୁତ ହେଉଛି । ଦୋଳବେଦି ଶାଳରେ ଓଝାସେବକମାନେ ଚକ ପାଇଁ ପନ୍ଦାରି ଓ ବଳା ନିର୍ମାଣ ସାରୁଛନ୍ତି ।