ରଥଖଳା ଅପ୍‌ଡେଟ୍‌... ନନ୍ଦିଘୋଷ ୩ଟି ଓ ଦର୍ପଦଳନ ୨ଟି କାଠ ପୋଲା, ବଦଳିଲା ଦଣ୍ଡା

Published By : Prameya-News7 Bureau | June 11, 2024 IST

ପୁରୀ ୧୧।୦୬ : ପାଖେଇ ଆସୁଛି ରଥଯାତ୍ରା । ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି କାମ । ସୋମବାର ସୁଦ୍ଧା ତିନିରଥର ତିନି ଭୂଇଁ ପାଇଁ ୧୨ଟି ଲେଖାଏଁ ୨୦ ଫୁଟିଆ ଭୂଇଁ ଚଉତା କାଠରେ ପାଖୁଡ଼ା ବିନ୍ଧ ଏବଂ ଖମ୍ବି ବିନ୍ଧ ଶେଷ ହେବା ସହ ପାଞ୍ଚ ଦଣ୍ଡା ଚଉପଟ, ଗରଗରା ଚଉପଟ ଏବଂ ଚାରି ନଶାକା ଚଉପଟ କାର୍ଯ୍ୟ ଜାରୀ ରହିଛି । ତିନି ରଥର ପାଞ୍ଚ ଦଣ୍ଡା ଏବଂ ଦୁଇଟି ଲେଖାଏଁ ଗରଗରା ର ଚଉପଟ କାର୍ଯ୍ୟ ଶେଷ ହୋଇଛି । 

ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଶେଷ ହେବା ପରେ ଦଣ୍ଡା ଗୁଡ଼ିକର ଉଭୟ ପାର୍ଶ୍ଵ ମୁହାଁଟ ସଂଯୋଗ ପାଇଁ ସାଲ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ଗୋଟିଏ ଗୋଟିଏ ଦଣ୍ଡା କାଠ ଚଉପଟ ପରେ ମଝିରେ ଗଣ୍ଠି ରହିଥିବା ପରିଲକ୍ଷିତ ହୋଇଛି । ଯାହାପରେ ବରିଷ୍ଠ ତତ୍ତ୍ୱାବଧାରକ, ମୁଖ୍ୟ ମହାରଣା ଏବଂ ଭୋଇ ସେବକ ମାନଙ୍କ ଉପସ୍ଥିତିରେ ଗଣ୍ଠିଥିବା ଦଣ୍ଡା ରଥର ଭାର ବହନ କରିପାରିବ କି ନାହିଁ । ତାହାର ଯାଞ୍ଚ ପୂର୍ବକ ନନ୍ଦିଘୋଷ ରଥ ଏବଂ ଦର୍ପ ଦଳନ ରଥ ମୁଖ୍ୟ ମହାରଣା ଭୋଇ ସେବକଙ୍କ ଦ୍ଵାରା ଗଣ୍ଠି ଥିବା ଚଉପଟ ଦଣ୍ଡାକୁ ଉପରକୁ ଟେକି ଦଣ୍ଡା ଗୁଡ଼ିକୁ ତଳକୁ ଛାଡିଥିଲେ,  ତାହା ଗଣ୍ଠି ସ୍ଥାନରୁ ଫାଟି ଯିବାରୁ ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ଗୋଟିଏ ଗୋଟିଏ ଦଣ୍ଡା  ପୁନଃ ନିର୍ମାଣ କରାଯାଇଛି । ମଙ୍ଗଳବାର ତିନି ରଥର ପାଞ୍ଚ ଦଣ୍ଡାର ମୁହାଁଟି ସଂଯୋଗ ହେବ । ତେବେ ବର୍ତ୍ତମାନ ସୁଦ୍ଧା ତିନି ରଥର ଦୁଇଟି ଲେଖାଏଁ ଗରଗରାର ଚଉପଟ କାର୍ଯ୍ୟ ଶେଷ ହୋଇ ଗରଗରାର ଉଭୟ  ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। ତିନି ରଥର ତିନୋଟି ଲେଖାଏଁ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଆଉ ଗୋଟିଏ ଗୋଟିଏ ନାହାକାର ଚଉପଟ କାର୍ଯ୍ୟ ଜାରୀ ରହିଛି । ଚଉପଟ ଶେଷ ହୋଇଥିବା ନାହାକାର ଆଠ କୋଣି ଆଁଶ ମାରା କାର୍ଯ୍ୟ ଜାରି ରହିଛି।

ତେବେ ତିନି ରଥର ୩୩ ଗୋଟି କୋଣ ଗୁଜରୁ ଦୁଇ ଦୁଇଟି କୋଣ ଗୁଜକୁ ଛାଡି ଦେଲେ ପ୍ରାୟ ସମସ୍ତ କୋଣ ଗୁଜରେ ସିଂହ ବିରଳ ରୂପ ଖୋଦେଇ ଶେଷ ହୋଇ,ପୋଲିସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଏଥି ସହ ଆଜି ତିନି ରଥର ରୂପକାର ସେବକ ମାନେ ତିନିରଥ ର ବେଦୀ ସିଂହାସନ ମୁହାଁଟିରେ ଚିତ୍ର ଖୋଦେଇ ପାଇଁ ସେଥିରେ ପୂର୍ଣ୍ଣ କୁମ୍ଭ, କୁମ୍ଭ ଦୁଇପାର୍ଶ୍ୱରେ ମତ୍ସ୍ୟ, ମୟୂର ଏବଂ ଡାଲି ଲତା ଚିତ୍ର ଅଙ୍କନ ପରେ  ତିନି ସିଂହାସନ ମୁଂହାଟିରେ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଛି। 

ମଙ୍ଗଳବାର କରତୀ ସେବକ ମାନେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ଶେଷ କରି ଦର୍ପ ଦଳନ ରଥର ପୋଲ ଗୟଳ ଚିରଟ ପାଇଁ ଗୟଳ କାଠର ଉଭୟ ପାର୍ଶ୍ଵ ବାରିସୀ ରେ ହାଣି ସମତଳ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୋଳ ବେଦୀସ୍ଥ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଦଣ୍ଡା ବିଡିଆ କଣ୍ଟା ନିର୍ମାଣ ଶେଷ କରି ଜୋଖା କଣ୍ଟା ଏବଂ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.