ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ଦେଲେ ଶ୍ରୀମନ୍ଦିର ପ୍ରଶାସନ, ତଥାପି ହଟିନି ଅନିଶ୍ଚିତତା, ୧୮ରେ ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି

Published By : Prameya-News7 Bureau | June 16, 2020 IST

ପୁରୀ, ୧୬|୦୬:  ରଥ ପ୍ରତିଷ୍ଠା ପାଇଁ ମିଳିଲା ଅନୁମତି । ଗୋଟେ ପଟେ ଆସନ୍ତା ୧୮ ତାରିଖରେ ସୁପ୍ରିମକୋର୍ଟରେ ରଥଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି ହେବାକୁ ଥିବା ବେଳେ ଅନ୍ୟପଟେ ରଥଯାତ୍ରାକୁ ନେଇ ଏପର୍ଯ୍ୟନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ରାଜ୍ୟ ସରକାର । ଏହାରି ଭିତରେ ରଥ ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ଅନବସରରେ ଥିବା ଶ୍ରୀଜିଉମାନଙ୍କ ସୁସ୍ଥତା ପାଇଁ ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଦ୍ବାରା ଆୟୁର୍ବେଦ ଚେରମୂଳିରେ ପ୍ରସ୍ତୁତ ହୋଇଥିବା ଦଶମୂଳ ମୋଦକ ଲାଗି ହୋଇଛି ।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଏକ ସପ୍ତାହ ରହିଲା । ପ୍ରତିବର୍ଷ ଏହି ସମୟରେ ଦେଶବିଦେଶରୁ ପୁରୀକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ବେଳେ ଏଥର କିନ୍ତୁ କରୋନା ପାଇଁ ଖାଁ ଖାଁ ଶ୍ରୀକ୍ଷେତ୍ର । ଏଥର ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ଏଯାଏଁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ସରକାର । ସେପଟେ ସୁପ୍ରିମକୋର୍ଟରେ ରଥଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି ଆସନ୍ତା ୧୮ତାରିଖକୁ ଘୁଞ୍ଚିଛି । ଏହାରି ଭିତରେ କିନ୍ତୁ ରଥ ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର ଦେଇଛି ଶ୍ରୀମନ୍ଦିର ପଶାସନ ।

ସେପଟେ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅନବସର ପିଣ୍ଡିରେ ଜ୍ବରରେ ପୀଡ଼ିତ ମହାପ୍ରଭୁଙ୍କ ଚିକିତ୍ସା ଚାଲିଛି । ଫୁଲୁରି ତେଲ ମାଲିସ ଏବଂ ଓଷ ଲାଗି ପରେ ଆଜି ଦଶମୀ ତିଥିରେ ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି କରିଛନ୍ତି ଶ୍ରୀମନ୍ଦିର ରାଜବୈଦ୍ୟ । ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପଣ୍ଡି, ଅଙ୍କରାନ୍ତି, ଗୋଖରା ଭଳି ୧୦ପ୍ରକାର ଆୟୁର୍ବେଦ ଚେରମୂଳିରେ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିଥାନ୍ତି ରାଜବୈଦ୍ୟଙ୍କ ପରିବାର । ଦେବସ୍ନାନ ପୂର୍ଣ୍ଣିମା ଠାରୁ ହିଁ ଏହି ଦଶମୂଳ ମୋଦକ ପ୍ରସ୍ତୁତି ଆରମ୍ଭ ହୋଇଥାଏ ।

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଉ ସପ୍ତାହେ ଭିତରେ ଶ୍ରୀଜିଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ରଥଯାତ୍ରାରେ ବାହାରିବେ ଶ୍ରୀଗୁଣ୍ଡିଚା ମନ୍ଦିରକୁ । ତେଣେ  ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ବିଶ୍ବକର୍ମା ମହାରଣା, ଭୋଇ ସେବାୟତ,  ରୂପକାର, ଚିତ୍ରକର ଓ ଦରଜୀ ସେବାୟତ । ତିନି ରଥର କଳସ, ମହାପ୍ରଭୁଙ୍କ ସିଂହାସନ ନିର୍ମାଣ କାର୍ଯ୍ୟ ସରିଥିବା ବେଳେ କନକମୁଣ୍ଡି ଓ ରଥକନା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ।

ଆଉ ୪/୫ଦିନ ଭିତରେ ତିନି ରଥର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଯିବ । ସେପଟେ ମହାପ୍ରଭୁ ମଧ୍ୟ ସୁସ୍ଥ ହୋଇଯିବେ । ଏସବୁ ଭିତରେ ମୂଳ ଲକ୍ଷ୍ୟ ହେଉଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ଯାହାକୁ ନେଇ ଚିତ୍ର ଏବେ ବି ଅସ୍ପଷ୍ଟ ରହିଛି । ହାତୀ କିମ୍ବା ମେସିନ୍‌ ସହାୟତାରେ ରଥ ଟାଣିବାକୁ ହାଇକୋର୍ଟଙ୍କ ପରାମର୍ଶ ପରେ ଦଇତାପତିଙ୍କ କହିବା କଥା ପୂର୍ବରୁ ବଡ଼ଦାଣ୍ଡରେ ବାଲି ଥିଲା ବୋଲି ହାତୀ ରଥ ଟାଣୁଥିଲେ । ଏବେ ଆଉ ହାତୀ ମିଳୁନାହାନ୍ତି । ରଥଟାଣିବାକୁ ସେବାୟତ ପ୍ରସ୍ତୁତ ଅଛନ୍ତି । ସୁରକ୍ଷାକର୍ମୀଙ୍କ ସହ ମିଶି ସେବାୟତ ରଥ ଟାଣିବେ । ବିନା ଭକ୍ତରେ ବଡ଼ ଦାଣ୍ଡରେ ଗଡ଼ିବ ୩ରଥ । ତେଣୁ ସରକାର ରଥଯାତ୍ରାକୁ ନେଇ ଯଥାଶୀଘ୍ର ନିଜର ନିଷ୍ପତ୍ତି ଘୋଷଣା କରିବା ଦରକାର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.