ସଙ୍କଟରେ ମହାବାହୁଙ୍କ ଶ୍ରୀଅଙ୍ଗ; ମହାପ୍ରଭୁଙ୍କ ନାଗନାଗୁଣି ଦଉଡ଼ି ଓ ବସ୍ତ୍ର କାଟିଲେ ମୂଷା

Published By : Prameya-News7 Bureau | January 11, 2023 IST

ପୁରୀ ୧୧/୦୧: ଶ୍ରୀମନ୍ଦିରରେ ପୁଣିଥରେ ମୂଷା ଆତଙ୍କ। ମହାପ୍ରଭୁଙ୍କ ନାଗନାଗୁଣୀ ଦଉଡ଼ି ଓ କିଛି ବସ୍ତ୍ରକୁ ମୂଷା କାଟି ଦେଇଛନ୍ତି। କିନ୍ତୁ ଏନେଇ କୌଣସି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଅଭିଯୋଗ ହୋଇନାହିଁ। ଅସରପା ଓ ମୂଷାଙ୍କ ଦୌରାତ୍ମ୍ୟ ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନୀତି ପ୍ରଶାସକ କହିଛନ୍ତି। 

ଖବର ଅନୁସାରେ, ଗତ କିଛି ବର୍ଷ ପୂର୍ବେ ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଆତଙ୍କ ଦେଖାଯାଇଥିଲା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଥିଲା। କିନ୍ତୁ ଗତ ଦୁଇଦିନ ହେଲା ପୁଣି ମୂଷା ଆତଙ୍କ ଦେଖା ଯାଇଛି। ମହାବାହୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡ଼ିକୁ ମୂଷା କାଟିଦେଇଥିବା ଜଣାପଡ଼ିଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସଙ୍କଟରେ ଥିବା କିଛି ଖବର ପ୍ରକାଶ ପାଇଛି। ଏପରି ଘଟଣାକୁ କିଛି ସେବାୟତ ଗ୍ରହଣ କରିଥବା ବେଳେ ଅନ୍ଯକିଛି ସେବାୟତ ଏହାକୁ ଅସ୍ୱୀକାର କରିଛନ୍ତି। 

{"id":732025,"sizeSlug":"full","linkDestination":"none"}

ସେପଟେ ସେବାୟତଙ୍କ କହିବା ଅନୁସାରେ ଗର୍ଭଗୃହରେ ହାତେ ଲମ୍ବର ବଡ଼ବଡ଼ ମୂଷା ଅଛନ୍ତି। ରତ୍ନସିଂହାସନରେ ଠାକୁରଙ୍କୁ ରୁନ୍ଧା ଯାଇଥିବା ନାଗନାଗୁଣୀ ଦଉଡ଼ିର ଯଥେଷ୍ଟ କ୍ଷତି ହେଲାଣି। ରତ୍ନସିଂହାସନ ଆଗ କଳାହାଟ ଦ୍ବାର ଦେଇ ମୁଷା ଗର୍ଭଗୃହରେ ପଶୁଥିବା ଆଶଙ୍କା କରାଯାଇଛି। ମୂଷାଙ୍କ ସହିତ ସେଠାରେ ବହୁ ଅସରପା ଥିବା ଜଣାପଡ଼ିଛି। ଗର୍ଭଗୃହରୁ ଜଳ ନିଷ୍କାସନ ପାଇଁ ଲକ୍ଷ୍ମୀ ମନ୍ଦିର ସାମ୍ନାକୁ ନାଳ ରହିଛି। ନାଳ ମୁହଁରେ ଘୋଡ଼ଣି ରହୁନଥିବାରୁ ଏହି ବାଟ ଦେଇ ମୂଷା ଆସୁଥିବା ସନ୍ଦେହ କରାଯାଉଛି।

ମୂଷା ଓ ଅସରପା ଜୀବ ମହାପ୍ରଭୁଙ୍କ ସୃଷ୍ଟି ହୋଇଥିବାରୁ ସେମାନଙ୍କୁ ମରାଯାଇପାରିବ ନାହିଁ। କେବଳ ଅସରପାଙ୍କୁ ଘଉଡାଇବାକୁ ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟରେ ଗୁଡର ବ୍ୟବସ୍ଥା ରହିଛି। ପୂର୍ବରୁ ମୂଷାଙ୍କୁ କାବୁ କରିବା ପାଇଁ ଜନ୍ତାର ବ୍ୟବସ୍ଥା ହୋଇଥିବା ବେଳେ ପୁନର୍ବାର ଏହି ବ୍ୟବସ୍ଥା କରିବାକୁ ସେବାୟତ ଦାବୀ କରିଛନ୍ତି। ସେପଟେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ଜଣାଇଛନ୍ତି।

ମୂଷାଙ୍କ ପାଇଁ ଚତୁର୍ଦ୍ଧାମୁରତିରେ କୌଣସି କ୍ଷତି ହୋଇନାହିଁ କିମ୍ୱା ବିପଦ ନଥିବା ସିଂହରୀ ସେବାୟତ କହିଛନ୍ତି। କିନ୍ତୁ ମୂଷାଙ୍କ ପ୍ରାଦୁର୍ଭାବରୁ ଶ୍ରୀମନ୍ଦିରର ଗର୍ଭଗୃହ ଓ ରତ୍ନସିଂହାସନକୁ ମୁକ୍ତ କରିବାକୁ ସାଧାରଣରେ ଦାବି ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.