ଭାରତ ହରାଇଲା ରତ୍ନ; ଛାଡିଗଲେ ୩୮୦୦ କୋଟି, କିଏ ହେବେ ଉତ୍ତରାଧିକାରୀ ?

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ ୧୦।୧୦ : ଭାରତୀୟ ଶିଳ୍ପ ଜଗତର ଘଟିଛି ଅପୂରଣୀୟ କ୍ଷତି । ସବୁଦିନ ପାଇଁ ଆଖି ବୁଜିଛନ୍ତି ଶିଳ୍ପପତି ରତନ ଟାଟା। ତାଙ୍କର ବିୟୋଗ ଭାରତୀୟ ଶିଳ୍ପ ଜଗତରେ ସୃଷ୍ଟି କରିଛି ବିରାଟ ଶୂନ୍ୟସ୍ଥାନ । ତାଙ୍କ ଭଳି ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ । 

ଭାରତର ଏହି ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କିଏ ସମ୍ଭାଳିବ ତାଙ୍କର କାରବାର ? ରତନ ଟାଟା ତାଙ୍କ ପଛରେ ଛାଡି ଯାଇଛନ୍ତି ୩୮୦୦ କୋଟିର ସମ୍ପତ୍ତି । କିନ୍ତୁ ରତନଙ୍କ କୌଣସି ସନ୍ତାନ ନାହାନ୍ତି । ଏବେ ଭାରତର ଅନ୍ୟତମ ବିଶାଳ ବ୍ୟବସାୟ ସାମ୍ରାଜ୍ୟର ମଙ୍ଗଳ କିଏ ସମ୍ଭାଳିବେ ତାହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ‌

ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ନୋଏଲ ଟାଟାଙ୍କୁ ସବୁଠୁ ଯୋଗ୍ୟ ବିବେଚନା କରାଯାଉଛି । ସେ ହେଉଛନ୍ତି ରତନଙ୍କ ସାବତ ଭାଇ । ନୋଏଲଙ୍କ ତିନି ସନ୍ତାନ୍ତଙ୍କୁ ମଧ୍ୟ ଟାଟାଙ୍କ ଉତ୍ତରାଧିକାରୀ ଭାବେ ବିଚାର କରାଯାଉଛି। ବର୍ତ୍ତମାନ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟା ଶୀର୍ଷରେ ଅଛନ୍ତି । 

ନୋଏଲ୍ ଟାଟା, ରତନ ଟାଟାଙ୍କ ବାପା ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କ ପୁଅ। ପରିବାରର ଏକ ଅଂଶ ହୋଇଥିବା ଯୋଗୁ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ୍ ଟାଟାଙ୍କ ନାମ ଆଗରେ ରହିଛି। ନୋଏଲ୍ ଟାଟାଙ୍କର ତିନୋଟି ସନ୍ତାନ ଅଛନ୍ତି। ଏମାନେ ହେଉଛନ୍ତି ମାୟା ଟାଟା, ନେଭିଲ୍ ଟାଟା ଏବଂ ଲିଆ ଟାଟା। ରତନ ଟାଟାଙ୍କ ସମ୍ପତ୍ତିର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଏମାନେ ମଧ୍ୟ ସାମିଲ ଅଛନ୍ତି।

ନୋଏଲ୍ ଟାଟାଙ୍କ ପୁଅମାନେ ବର୍ତ୍ତମାନ ଟାଟା ଗ୍ରୁପର ବିଭିନ୍ନ ଦାୟିତ୍ୱର ପରିଚାଳନା କରୁଛନ୍ତି । ୩୪ ବର୍ଷୀୟ ମାୟା ଟାଟା, ଟାଟା ଅପର୍ଚ୍ୟୁନିଟି ଏବଂ ଟାଟା ଡିଜିଟାଲରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଟାଟା ନ୍ୟୁ ଆପ୍ ଲଞ୍ଚରେ ମଧ୍ୟ ତାଙ୍କର ଢ଼େର ଅବଦାନ ଥିଲା। ସେହିପରି ୩୨ ବର୍ଷୀୟ ନେଭିଲ ଟାଟା ଟ୍ରେଣ୍ଟ୍ ଲିମିଟେଡ ପ୍ରମୁଖ ହାଇପର୍ ମାର୍କେଟ୍ ଚେନ୍ ଷ୍ଟାର୍ ବଜାରକୁ ଲିଡ୍‌ କରୁଛନ୍ତି। 

ଏଥି ସହିତ ୩୯ ବର୍ଷୀୟା ଲିଆ ଟାଟା ଟାଟା ଗ୍ରୁପର ହସ୍ପିଟାଲିଟି ସେକ୍ଟରକୁ ଦେଖୁଛନ୍ତି। ସେ ତାଜ ହୋଟେଲ ରିସର୍ଟ ଏବଂ ପ୍ୟାଲେସର ପରିଚାଳନା କରୁଛନ୍ତି। ସେ ଇଣ୍ଡିଆନ ହୋଟେଲ କମ୍ପାନୀର ତଦାରଖ ମଧ୍ୟ କରୁଛନ୍ତି। ତେବେ ଦେଖିବାକୁ ବାକି ରହିଲା କିଏ ସମ୍ଭାଳିବେ ବିରାଟକାୟ ସାମ୍ରାଜ୍ୟର କମାଣ  । ରତନଙ୍କ ପରି ରଖିପାରିବେ ତ ଦାୟିତ୍ବ…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.