ମୂଷା ମାରିବା ପଡ଼ିଲା ଭାରି, ଅଭିଯୁକ୍ତକୁ ଗିରଫ କଲା ପୋଲିସ୍
1/12/2022 at 11:01 PM

ବଦାୟୁ: ସାଧାରଣତଃ ଆପଣ ଦେଖିଥିବେ ମୂଷା ଘର, ଦୋକାନ, ମଲ୍ ଆଦି ସ୍ଥାନରେ ଉତ୍ପାତ୍ କରିଥାନ୍ତି । ମୂଲ୍ୟବାନ୍ ଜିନିଷ ନଷ୍ଟ କରିଥାନ୍ତି । ସେମାନଙ୍କୁ ମାରିବା ପାଇଁ ମଧ୍ୟ ବିଭିନ୍ନ ଉପାୟ କରିଥାନ୍ତି ମାଲିକ । କିନ୍ତୁ ମୂଷା ମାରିବା ଯେ ଜଣେ ବ୍ୟକ୍ତି ପାଇଁ ମହଙ୍ଗା ପଡ଼ିପାରେ ଆପଣ କେବେ ଚିନ୍ତା ବି କରିନଥିବେ । ମୂଷାକୁ ହତ୍ୟା କରି ଏବେ ଜେଲ୍ରେ ବ୍ୟକ୍ତି । ଏପରି ଏକ ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।
ଉତ୍ତର ପ୍ରଦେଶର ବଦାୟୁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣା ୨୫ ନଭେମ୍ୱରର । ସଦର କୋତବାଲିର ପନୱାଡ଼ି ଚୌକରେ ରହୁଥିବା ମନୋଜ ଏହି ମୂଷାକୁ ନାଳରେ ବୁଡ଼ାଇ ରଖିଥିଲେ । ଏହା ସହିତ ମୂଷାକୁ ଏକ ପଥରରେ ବାନ୍ଧି ଦେଇଥିଲେ । ସେଇ ରାସ୍ତା ଦେଇ ଯାଉଥିବା ପଶୁ ପ୍ରେମୀ ବିକେନ୍ଦ୍ର ଶର୍ମା ମୂଷାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ତାର ମୃତ୍ୟୁ ହୋଇାଯାଇଥିଲା । ଏହାକୁ ନେଇ ସେ ଥାନାରେ ଏତଲା ଦେଇଥିଲେ । ଫଳରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି ।
ତେବେ ଦିନକୁ ଦିନ ମାମଲା ଜଟିଳ ହେଉଥିବା ବେଳେ ନୂଆ ନୂଆ ତଥ୍ୟ ମଧ୍ୟ ପଦାକୁ ଆସୁଛି । ମୂଷାର ପୋଷ୍ଟମର୍ଟମ ମଧ୍ୟ ହୋଇଛି । ଏହି ରିପୋର୍ଟରେ ମୂଷାଟିର ଯକୃତ ଏବଂ ଫୁସ୍ଫୁସ୍ ପୂର୍ବରୁ ଖରାପ ଥିବା ଜଣାପଡ଼ିଛି । ନାଳରେ ବୁଡ଼ି ନୁହେଁ ବରଂ ଅଣନିଶ୍ୱସୀ ହୋଇ ତାର ମୃତ୍ୟୁ ହୋଇଛି । ବିଭିନ୍ନ ରୋଗରେ ମଧ୍ୟ ପୀଡ଼ିତ ଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।
ଅନ୍ୟପଟେ ଅଭିଯୁକ୍ତର ସପୋର୍ଟରେ ବାହାରିଛନ୍ତି ପରିବାର । ସେମାନେ ଖାଇବା ପାଇଁ ହତ୍ୟା କରାଯାଉଥିବା ପଶୁ ପକ୍ଷୀଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି । ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ମାମଲାକାରୀ । ସେ ଯେଉଁଭଳି ଭାବେ ହତ୍ୟା କରିଛନ୍ତି ତହା ପଶୁ କ୍ରୁରତା ଅଧିନିୟମକୁ ବିରୋଧ କରିଛି । ତେବେ ଶେଷରେ ଅଭିଯୁକ୍ତ ବେଲ୍ରେ ଫେରିଥିବା ଜଣାପଡ଼ିଛି ।