ବାରମ୍ୱାର ପ୍ରତିବାଦ ପରେ ବି ଶୁଣିଲେନି ପ୍ରଶାସନ, ପାଣି ପାଇଁ ତାତିଲେ ବସ୍ତିବାସିନ୍ଦା

Published By : Prameya-News7 Bureau | May 10, 2024 IST

ନବରଙ୍ଗପୁର ୧୦/୦୫: ପିଇବା ପାଣି, ଲାଇନ୍ ଓ ବସ୍ତିରାସ୍ତା ନିର୍ମାଣକୁ ନେଇ ନବରଙ୍ଗପୁର ବାଇପାସ ରାସ୍ତା ଅବରୋଧ କରି ବସିଲେ ବସ୍ତିବାସିନ୍ଦା । ୩ ଘଣ୍ଟା ରାସ୍ତାରୋକ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଛିଡା ହୋଇରହିଲା ମାଳମାଳ ଟ୍ରକ ଓ ବସ । ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଦୁଇଦିନ ମଧ୍ୟରେ ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତାରୁ ହଟିଲେ ବସ୍ତିବାସିନ୍ଦା । 

ନବରଙ୍ଗପୁର ସହରର ହିର୍ଲିଡଙ୍ଗରି ବସ୍ତିବାସିନ୍ଦା ଦୀର୍ଘବର୍ଷ ଧରି ହିର୍ଲିଡଙ୍ଗରି ବସ୍ତିରେ ରହିଆସୁଛନ୍ତି।  କିନ୍ତୁ ଆଜିପର୍ଯ୍ୟନ୍ତ ବସ୍ତିବାସିନ୍ଦାଙ୍କୁ ପିଇବାପାଣି,କରେଣ୍ଟ, ରାସ୍ତା ଓ ଡ୍ରେନ ସମସ୍ୟା ଲାଗିରହିଛି । ଏହି ସମସ୍ୟା ଗୁଡିକୁ ନେଇ ନାହିଁନଥିବା ଅସୁବିଧାର ଶିକାର ହେଉଥିଲେ ବସ୍ତିବାସିନ୍ଦା,ସମସ୍ୟା ଗୁଡିକୁନେଇ ନବରଙ୍ଗପୁର ଜିଲ୍ଲାପାଳ,ବିଡ଼ିଓଙ୍କ ନିକଟକୁ ଅନେକଥର ବସ୍ତିବାସିନ୍ଦା ଯାଇଛନ୍ତି । 

କିନ୍ତୁ ସମସ୍ୟା ଦୂର କରିବାପାଇଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ବାଧ୍ୟହୋଇ ନବରଙ୍ଗପୁର ସହରର ବାଇପାସ ରାସ୍ତା ଅବରୋଧ କରି ବସିଥିଲେ ବସ୍ତିବାସିନ୍ଦା । ଶେଷରେ ଘଟଣା ସ୍ଥଳରେ ନବରଙ୍ଗପୁର ପୋଲିସ ଓ ଗ୍ରାମ ଜଳଯୋଗାଣ ବିଭାଗ ନିର୍ବାହୀଯନ୍ତ୍ରୀ ପହଞ୍ଚି ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି କହିବାରୁ ରାସ୍ତାରୋକରୁ ହଟିଥିଲେ ବସ୍ତିବାସିନ୍ଦା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.