ରୁଚି ଫୁଡ଼୍ଲାଇନ୍ର ନିର୍ଦ୍ଦେଶିକା ରଶ୍ମିସାହୁ ଜିଣିଲେ, ଗ୍ଲୋବାଲ ଆଇକନ୍ ବିଜ୍ନେସ୍ ଆୱାର୍ଡ୍ସ – ୨୦୨୨
16/12/2022 at 9:14 PM

ଭୁବନେଶ୍ଵର: ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚିଫୁଡ଼୍ଲାଇନ୍ର ନିର୍ଦ୍ଦେଶିକା ତଥା ଯୁବ ମହିଳା ଶିଳ୍ପୋଦ୍ୟୋଗୀ ରଶ୍ମି ସାହୁ ଚଳିତ ବର୍ଷର ସମ୍ମାନଜନକ “ଗ୍ଲୋବାଲ ଆଇକନ୍ ବିଜିନେସ୍ ଆୱାର୍ଡ୍ସ – ୨୦୨୨”ପୁରସ୍କାର ଜିଣିପାରିଛନ୍ତି ।
ନୂଆଦିଲ୍ଲୀ ସ୍ଥିତ ଲେମାରିଡ଼େଏନ୍ ହୋଟେଲଠାରେ ଜାତୀୟସ୍ତରର ଲୋକପ୍ରିୟ ଗଣମାଧ୍ୟମ ସଂସ୍ଥାନ ଏନ୍.ଏନ୍.ଏସ୍ ମିଡ଼ିଆ ଦ୍ୱାରା ଆୟୋଜିତ ଏହି ସମ୍ମାନ ଜନକ ପୁରଷ୍କାର ବିତରଣୀ ସମାରୋହରେ ଅନୁଷ୍ଠାନର ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଭାରତର ସରକାରଙ୍କର ସଂଚାର ବିଭାଗୀୟ ମନ୍ତ୍ରୀ (ରାଜ୍ୟ) ଶ୍ରୀଯୁକ୍ତ ଦେବୁ ସିଂହ ଚୌହ୍ୱାନ ମୁଖ୍ୟଅତିଥି ଭାବେ ଯୋଗଦେଇ ରଶ୍ମି ସାହୁଙ୍କ ସମେତ ଭାରତର ୧୧ଜଣ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷକୁ ସମ୍ମାନିତ କରିଥିଲେ।
ଶ୍ରୀମତୀ ସାହୁ ବର୍ତ୍ତମାନ ରୁଚିଫୁଡ଼୍ଲାଇନ୍ର ନିର୍ଦ୍ଦେଶିକା ଭାବେ କାର୍ଯ୍ୟରତ ଥିବାବେଳେ ଓଡ଼ିଶାର ପ୍ରଥମ ଫ୍ରୋଜନ ଫୁଡ୍ସ କମ୍ପାନୀ ଫ୍ରୋଜୀଟ୍ର ପ୍ରତିଷ୍ଠାତ୍ରୀ ଓ ନିର୍ଦ୍ଦେଶିକା। ଏତଦ୍ବ୍ୟତୀତ ଶ୍ରୀମତୀ ସାହୁ ବିଶେଶ୍ୱର ଫୁଡ୍ସର ମଧ୍ୟ ପ୍ରତିଷ୍ଠାତ୍ରୀ ଓ ନିର୍ଦ୍ଦେଶିକା । ସେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଆସାମ, ଉ³ରପ୍ରଦେଶ, ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ୍, ଛତିଶଗଡ଼, ଝାଡ଼ଖଣ୍ଡ, ନୂଆଦିଲ୍ଲୀ ଆଦି ପ୍ରଦେଶରେ ରୁଚି, ଫ୍ରୋଜିଟ୍ ଓ ଫାର୍ମ-ବି ର ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିପାରିଥିବା ବେଳେ ସୁଦୂର ଦୁବାଇ ଓ ଆବୁଧାବି ରେ ମଧ୍ୟ ବ୍ୟବସାୟ ଆରମ୍ଭ କରିପାରିଛନ୍ତି ।
ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ଭାରତର ଜଣେ ପ୍ରମୁଖ ମହିଳା ଶିଳ୍ପୋଦୋଗୀ ର ପରିଚୟ ତିଆରି କରିଥିବା ଶ୍ରୀମତୀ ରଶ୍ମି ସାହୁ ଓଡ଼ିଶାର ମସଲା ସମ୍ରାଟ୍ ତଥା ବିଶିଷ୍ଟ ଶିଳ୍ପପତି ଡ଼.ଶରତ କୁମାର ସାହୁଙ୍କ ସୁକନ୍ୟା । ଡ଼. ସାହୁଙ୍କ ମାର୍ଗଦର୍ଶନରେ ସେ ଫ୍ରୋଜନ୍ ଫୁଡ୍ସ, ରେଡ଼ି-ଟୁ-ଇଟ୍, ରେଡ଼ି-ଟୁ-କୁକ୍, ମୃଦ୍ୟୁପାନୀୟ, ବେକରୀ, ସ୍ୱାସ୍ଥ୍ୟଯୋଗୀ ଖାଦ୍ୟପଦାର୍ଥ ତଥା ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନୂଆ ଉଦାହରଣ ତିଆରି କରିପାରିଛନ୍ତି।
ନିଜର କଠିନ ଅଧ୍ୟବସାୟ ମାଧ୍ୟମରେ ସଫଳତାର ଶୋପାନ ଚଢିଚାଲିଥିବା ଶ୍ରୀମତୀ ସାହୁ ଅନେକ ଯୁବ ଉଦ୍ୟୋଗୀମାନଙ୍କର ପ୍ରେରଣାର ଉତ୍ସ ହୋଇଥିବା ବେଳେ ଆଗାମୀ ଭବିଷ୍ୟତରେ ସେ ନିଜର ଅଭିଜ୍ଞତାକୁ ଉପଯୋଗ କରି ଯୁବପିଢୀକୁ ସହଯୋଗର ହାତ ବଢେଇବେ ବୋଲି ଲକ୍ଷ୍ୟ ରଖିପାରିଛନ୍ତି । ଏହି ସମ୍ମାନଜନକ ପୁରଷ୍କାର ସେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।