ସମ୍ ହସ୍ପିଟାଲର ଆଉ ଏକ ସଫଳତା : ନୂଆ ପଦ୍ଧତିର ଅସ୍ତ୍ରୋପଚାର ଯୋଗୁ ଥାଇରଏଡ୍ ଗ୍ରନ୍ଥିରୁ ବାହାରିଲା ଟ୍ୟୁମର

Published By : Prameya-News7 Bureau | October 17, 2019 IST

ଭୁବନେଶ୍ବର ୧୭|୧୦: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଆଉ ଏକ ସଫଳତା । ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଗଳାରେ ଥିବା ଥାଇରଏଡ ଗ୍ରନ୍ଥିରୁ ବାହାର କଲେ ଟ୍ୟୁମର୍ । ଇଏନ୍ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞ ଡାକ୍ତର ରାଧାମାଧବ ସାହୁ ସଫଳତାର ସହ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ସଫଳ ଅସ୍ତ୍ରୋପଚାର କରିଛନ୍ତି ।

୩୯ ବର୍ଷୀୟା ଜନୈକ ମହିଳାଙ୍କ ଗଳା ଫୁଲିଯିବା ପରେ କଷ୍ଟ ଅନୁଭବ କରିବାରୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ପରୀକ୍ଷା ନିରୀକ୍ଷା ପରେ ତାଙ୍କ ଥାଇରଏଡ୍ ଗ୍ରନ୍ଥିରେ ଏକ ଟ୍ୟୁମର ଥିବା ଜଣାପଡ଼ିଥିଲା । ଚିକିତ୍ସା କରିବା ପରେ ତାଙ୍କର ଅପରେସନ୍ ପ୍ରକ୍ରିୟା ଆରମ୍ଭ କରିଥିଲେ ଡାକ୍ତର ସାହୁ ଓ ତାଙ୍କ ଦଳ । ବିରଳ ଅସ୍ତ୍ରୋପଚାର ଯୋଗୁଁ ସମ୍ପୂର୍ଣ୍ଣ ନୂତନ ପଦ୍ଧତିରେ ତଳ ଓଠର ଭିତର ପାଶ୍ୱର୍ରେ ୩ଟି ଛେଦ କରି ଏଣ୍ଡୋସ୍କୋପିକ୍ ଟ୍ରାନ୍ସଓରାଲ୍ ଥାଇରଏଡ୍ଏକ୍ଟୋନୋମୀ ମାଧ୍ୟମରେ ଟ୍ୟୁମରଟିକୁ କାଢ଼ିବାରେ ସେମାନେ ସଫଳ ହୋଇଥିଲେ ।

ପ୍ରଥମ ଥର ପାଇଁ ଏହି ଅପରେସନ୍ ଓଡ଼ିଶାରେ ସମ୍ ହସ୍ପିଟାଲ୍ରେ କରାଯାଇଥିବା ବେଳେ ଏଥିପାଇଁ ୨ ଘଂଟା ସମୟ ଲାଗିଥିଲା । ପୂର୍ବରୁ ଥାଇରଏଡ୍ ଗ୍ରନ୍ଥିରୁ ଟ୍ୟୁମର କାଢ଼ିବା ପାଇଁ ଟ୍ରାନ୍ସ ଅଗ୍ଜୁଲାରୀ, ପୋଷ୍ଟ ଅରିକୁଲାର ଏବଂ ଏରିଓଲାର୍ ପ୍ରକ୍ରିୟା ଗ୍ରହଣ କରାଯାଉଥିଲା । ସାଧାରଣତଃ ଗଳାକୁ ଚିରି କିମ୍ବା କାଖ ଅଥବା ସ୍ତନରେ ଛେଦ କରି ଅସ୍ତ୍ରୋପଚାର କରାଯାଇଥାଏ । ଏହା ଦ୍ୱାରା ଶରୀରରେ ଦାଗ ରହିଯାଇଥାଏ ଏବଂ ରୋଗୀଟି ମାନସିକ ସ୍ତରରେ ଭାଙ୍ଗି ପଡ଼ିଥାଏ । ଏହି ନୂତନ ପଦ୍ଧତିର ପ୍ରକ୍ରିୟାକୁ ଟ୍ରାନ୍ସ ଓରାଲ୍ ଏଣ୍ଡୋସ୍କୋପିକ୍ ଥାଇରଏଡଏକ୍ଟୋମୀ କୁହାଯାଏ ଓ ଏହାଦ୍ୱାରା ରୋଗୀର ଶରୀରରେ କୈଣସି ଦାଗ ରହେ ନାହିଁ ବୋଲି ଡାକ୍ତର ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.