କାଶୀପୁର କସନାଦୋରା ଗାଁରେ ଅଭାବନୀୟ ଘଟଣା, ଠିକାଦାର ତଥା କଂଗ୍ରେସ ନେତାଙ୍କୁ ହତ୍ୟା
9/06/2023 at 12:35 PM

ରାୟଗଡ଼ା ୦୯/୦୬: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅର୍ନ୍ତଗତ କସନାଦୋରା ଗାଁ ନିକଟରେ ଘଟିଛି ଅଭାବନୀୟ ଘଟଣା । ଠିକାଦାର ତଥା କଂଗ୍ରେସ ନେତା ଗଜେନ୍ଦ୍ର ନାୟକଙ୍କୁ ହତ୍ୟା କରାଯାଇଛି ।
ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଦୁର୍ବୃତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ଦୁର୍ବୃତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସ୍ଥାନୀୟ ଲୋକେ ଗଜେନ୍ଦ୍ରଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଥାଉକି, ଗଜେନ୍ଦ୍ର ନିଜର ଠିକା କାମ ସ୍ଥଳକୁ ଯାଇଥିଲେ । କସନାଦୋରା ଗାଁ ନିକଟରେ କାମ ଚାଲିଥିବାରୁ ତାହା ଅନୁଧ୍ୟାନ କରୁଥିଲେ । ସେହି ସମୟରେ ଦୁର୍ବୃତ୍ତ ଜଣକ ପହଞ୍ଚି ପ୍ରଥମେ ପାଟିତୁଣ୍ଡ କରିଥିଲା । ଏହାପରେ ନିଜେ ଧରିଥିବା ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଘଟଣାପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।