କଟକ ୨୧।୭: କଟକ ଏସସିବି ମେଡିକାଲରେ ବିରଳ ଅସ୍ଥିମଜ୍ଜା ପ୍ରତିରୋପଣ। ଏମିତି ତ ଅଧିକାଂଶ ବଡ ଡାକ୍ତରଖାନାରେ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥାଏ । ମାତ୍ର ଗୁରୁବାର ଏସସିବିର ହେମାଟୋଲୋଜି ବିଭାଗରେ ଯେଉଁ ପ୍ରତିରୋପଣ ହୋଇଛି ତାହା ଅତ୍ୟନ୍ତ ବିରଳ ଧରଣର ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଆର.କେ. ଜେନା। ଡାକ୍ତର ଜେନାଙ୍କ କହିବା ଅନୁସାରେ ୫୧ ବର୍ଷ ବୟସ୍କ ରମାକାନ୍ତ ପ୍ରଧାନ ରିଲାପ୍ସଡ୍ ହଜକିନସ୍ ଲିମ୍ଫୋମାରେ ଆକ୍ରାନ୍ତ ଥିଲେ । ଏହା ଏକ ପ୍ରକାର ରକ୍ତ କର୍କଟ ରୋଗ। ଥରେ ଚିକିତ୍ସିତ ହେବା ପରେ ଏହା ପୁଣି ଥରେ ରମାକାନ୍ତଙ୍କ ଶରୀରରେ ଦେଖାଦେଇଥିଲା ।
ଚିକିତ୍ସା ସମୟରେ କେମୋ ଥେରାପି ଯୋଗୁଁ ରମାକାନ୍ତଙ୍କ ଶରୀରର ଷ୍ଟେମ୍ ସେଲ୍ଗୁଡିକ ପ୍ରାୟତଃ ନଷ୍ଟ ହୋଇଯାଇଥିଲା। ତେଣୁ ଏହି ରୋଗ ପୁଣି ଦେଖାଦେବାରୁ ରମାକାନ୍ତଙ୍କ ଶରୀରରୁ ଷ୍ଟେମ୍ ସେଲ୍ ସଂଗ୍ରହ କରି ଏହାକୁ ସଂରକ୍ଷଣ କରି ମେଳ ଖାଉଥିବା ଅନ୍ୟ ଷ୍ଟେମ୍ ସେଲ୍ ସହ ଏହାକୁ ସଂରକ୍ଷଣ କରି ପ୍ରତିରୋପଣ କରିବାକୁ ପଡିଥାଏ। ତେବେ ଏହାର ସଂଗ୍ରହ, ସଂରକ୍ଷଣ ଓ ପ୍ରତିରୋପଣ ଏକ କଷ୍ଟସାଧ୍ୟ କଥା। କିନ୍ତୁ ଏସସିବି ହେମାଟୋଲୋଜି ବିଭାଗର ଅଭିଞ୍ଜ ଟେକନିସିଆନ ଓ ଡାକ୍ତରଙ୍କ ଯୋଗୁଁ ଷ୍ଟେମ୍ ସେଲ୍ ସଫଳତାର ସଂଗ୍ରହ କରାଯାଇ ମାଇନସ୍ ୮୦ ଡିଗ୍ରୀ ତାପମାତ୍ରାରେ ଏହାକୁ ସଂରକ୍ଷଣ କରି ରଖାଯାଇଥିଲା, ଯାହାକୁ କ୍ରାଇଓପ୍ରିଜରଭେସନ ବୋଲି କୁହାଯାଏ। ଗୁରୁବାର ରମାକାନ୍ତଙ୍କ ଶରୀରରେ ଏହି ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି।
ଏଭଳି ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ରାଜ୍ୟ ବାହାରେ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ମାତ୍ର ରାଜ୍ୟ ସରକାରଙ୍କ ସହାୟତା ଯୋଗୁଁ ଏସସିବିରେ ବିନା ଖର୍ଚ୍ଚରେ ଏହି ବିରଳ ପ୍ରତିରୋପଣ ସମ୍ଭବ ହୋଇପାରୁଛି। ଏହା ପୂର୍ବରୁ ୬୫ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଶରୀରରେ ଅସ୍ଥିମଜ୍ଜା ପ୍ରତିରୋପଣ କରି ସାରା ଭାରତରେ ରେକର୍ଡ କରିଛି ଏସସିବି। ସାଧାରଣତଃ ୬୫ବର୍ଷରୁ ଅଧିକ ବୟସ୍କଙ୍କ ଦେହରେ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇନଥାଏ। ମାତ୍ର ଏସସିବିରେ ୭୪ ବର୍ଷ ବୟସ୍କ ଜବାର୍ ଖାଁଙ୍କର ସଫଳ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ଗୁରୁବାର ୮୧ବର୍ଷ ବୟସରେ ବି ଜବାର ଖାଁ ସୁସ୍ଥ ଅଛନ୍ତି । ଭାରତରେ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥିବା ଜବାର୍ ଖାଁ ହେଉଛନ୍ତି ସବୁଠୁ ବୟସ୍କ ବ୍ୟକ୍ତି।